url
stringlengths 29
226
| text
stringlengths 7
18.1k
|
---|---|
https://www.dharitri.com/declaration-of-no-flying-zone/ | ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍, ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା
ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି।
ଏ ନେଇ ସୋସିଆଲ ମିଡିଆ ଜରିଆରେ ପୋଲିସ ପକ୍ଷରୁ ସଚେତନତା କରାଯାଇଛି। ଦୁଇଦିନ ତଳେ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। |
https://www.dharitri.com/ରାଜ୍ୟବ୍ୟାପୀ-ଡାକ୍ତର-ଆନ୍ଦୋ/ | ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ: ଆଉଟ୍ଡୋର ବର୍ଜନ କଲେ କନିଷ୍ଠ ଡାକ୍ତର
ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୧୮।୬: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୋମବାର ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ (ଆଇଏମ୍ଏ) ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟର ପ୍ରଭାବ ଏସ୍ସିବି ମେଡିକାଲ ସମେତ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଜରୁରିକାଳୀନ ଏବଂ ଇନ୍ଡୋର୍ ସେବା ଜାରି ରହିଥିବା ବେଳେ ଓପିଡି ବା ବହିର୍ବିଭାଗରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ବିଶେଷକରି କଟକର ଏସ୍ସିବି ମେଡିକାଲ କଲେଜ, ସମ୍ବଲପୁରର ଭିଏସ୍ଏସ୍ ମେଡିକାଲ କଲେଜ ଏବଂ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ବହିର୍ବିଭାଗରେ କାର୍ଯ୍ୟବନ୍ଦ କରିବା ଯୋଗୁ ରୋଗୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି।
ଏସ୍ସିବି ମେଡିକାଲରେ କନିଷ୍ଠ ଡାକ୍ତରମାନେ ଶୋଭାଯାତ୍ରା କରିବା ସହ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଉଟଡୋର ବର୍ଜନ କରିଥିଲେ। କିନ୍ତୁ ଡାକ୍ତର ଆନ୍ଦୋଳନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଆନ୍ଦୋଳନରତ ଡାକ୍ତରମାନେ ଆଉଟଡୋରକୁ ବନ୍ଦ କରିଥିଲେ ମଧ୍ୟ ଏଠାକୁ ଆସୁଥିବା ରୋଗୀମାନଙ୍କୁ କାଜୁଆଲ୍ଟିକୁ ପଠାଇଥିଲେ। କାଜୁଆଲ୍ଟିରେ ଆନ୍ଦୋଳନରେ ସାମିଲ ଥିବା ଡାକ୍ତରମାନେ ରୋଗୀସେବା କରୁଥିବା ଦେଖିବାକୁ ମିଳିଥିଲା। ଏସ୍ସିବି ପିଜି ଡାକ୍ତର ସଂଘର ସଭାପତି ଡା. ପ୍ରଭାତ ରାଉତ କୁହନ୍ତି, ପଶ୍ଚିମବଙ୍ଗର ଡାକ୍ତର ଭଉଣୀଭାଇଙ୍କ ପଛରେ ଆମର ପୂର୍ଣ୍ଣ ସମର୍ଥନ ରହିଛି। କିନ୍ତୁ ଏସ୍ସିବିରେ ଯେଭଳି ଜରୁରିକାଳୀନ ରୋଗୀ ସେବା ବ୍ୟାହତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। କନିଷ୍ଠ ଡାକ୍ତରମାନେ ଆନ୍ଦୋଳନ ସମୟରେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଦିନ ଆଉଟଡୋର ସକାଳ ୯ଟାରେ ଆରମ୍ଭ ହେଉଥିବା ବେଳେ ସୋମବାର ୮ଟାରୁ ଖୋଲିଥିଲା। ମେଡିକାଲ ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି ସକାଳ ୮ଟା ପୂର୍ବରୁ ମେଡିକାଲରେ ପହଞ୍ଚତ୍ ସମସ୍ତ ଆଉଟଡୋର କାର୍ଯ୍ୟ ଆରମ୍ଭ କରାଇଥିଲେ। ଆନ୍ଦୋଳନ ଯୋଗୁ ରୋଗୀସେବା ସେଭଳି ପ୍ରଭାବିତ ହୋଇ ନ ଥିବା ଅଧୀକ୍ଷକ ମହାନ୍ତି କହିଛନ୍ତି।
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଡ. ଚରଣ ପଣ୍ଡା କହିଛନ୍ତି, କନିଷ୍ଠ ଡାକ୍ତର ଛାତ୍ରମାନଙ୍କ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିବା ସତ୍ତ୍ୱେ ଜରୁରିକାଳୀନ ଓ ବର୍ହିବିଭାଗ ସେବା ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ସମ୍ବଲପୁର ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଆଇଏମ୍ଏ ଓଡ଼ିଶା ଶାଖାର ସମ୍ପାଦକ ଜନ୍ମେଜୟ ମହାପାତ୍ର କହିଛନ୍ତି ଯେ, ଆନ୍ଦୋଳନ ବେଳେ ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ସେବା ପ୍ରଭାବିତ ହୋଇନାହିଁ। ଓଡ଼ିଶା ଡାକ୍ତରୀ ସେବା ସଂଘ (ଓଏମ୍ଏସ୍ଏ), ଓଡ଼ିଶା ଡାକ୍ତରୀ ଶିକ୍ଷକ ସଂଘ (ଓଏମ୍ଟିଏ), କନିଷ୍ଠ ଡାକ୍ତର ସଂଘ, ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ, ଆଇଏମ୍ଏ ଷ୍ଟୁଡେଣ୍ଟସ ନେଟଓ୍ବର୍କ ଆଣ୍ଡ୍ ନର୍ସିଂ ହୋମ୍ ଆସୋସିଏଶନ ଆଦି ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ଏଠାରେ ସମର୍ଥନ କରାଯାଇ ପ୍ରତୀକାତ୍ମକ ଧାରଣା ଦିଆଯାଇଛି। ଏହାଦ୍ୱାରା ସ୍ବାସ୍ଥ୍ୟସେବା ସେଭଳି ବାଧାପ୍ରାପ୍ତ ହୋଇନାହିଁ। |
https://www.dharitri.com/additional-sp-of-angul-has-no-more/ | ଅନୁଗୋଳ ଅତିରିକ୍ତ ଏସ୍ପିଙ୍କ ଅକାଳ ବିୟୋଗ
ଅନୁଗୋଳ,୧୮ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ (୫୮)ଙ୍କ ଗୁରୁବାର ସକାଳେ ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି। ବଜାରରୁ ଫେରି ଘରେ କିଛି କାମ କରୁଥିବା ବେଳେ ତାଙ୍କର ବାନ୍ତି ହୋଇଥିଲା। ଏହାପରେ ସେ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ଜଣାପଡ଼ିବା ପରେ ଜିଲା ପୋଲିସରେ ଶୋକର ଛାୟା ଖେଳିଯାଇଥିଲା। ସ୍ବର୍ଗତ ପାଣିଗ୍ରାହୀ ଜଣେ କର୍ମଠ, ନ୍ୟାୟବନ୍ତ ପୋଲିସ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ। ନିକଟରେ ତାଙ୍କର ବାଲେଶ୍ବର ଜିଲାକୁ ବଦଳି ହୋଇଥିଲା। କିଛି ଦିନ ମଧ୍ୟରେ ସେ ନୂଆ ସ୍ଥାନରେ ଯୋଗଦେବାର ଥିଲା। ତାଙ୍କ ମୃତ୍ୟୁ ଖବରପାଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଅପରାହ୍ନରେ ଛେଳିଆପଡ଼ା ପୋଲିସ ରିଜର୍ଭ ପଡ଼ିଆରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ତାଙ୍କ ପୈତୃକ ଘର ସୋନପୁର ଜିଲାରେ ହୋଇଥିବା ବେଳେ ବଲାଙ୍ଗୀରରେ ସେ ରହି ଆସୁଥିଲେ। ତେଣୁ ତାଙ୍କ ପାର୍ଥିବ ଶରୀର ସେଠାକୁ ନିଆଯାଇଛି। ପରଲୋକ ବେଳେ ତାଙ୍କ ନିକଟରେ ସ୍ତ୍ରୀ ସସ୍ମିତା ପାଣିଗ୍ରାହୀ ଉପସ୍ଥିତ ଥିଲେ। |
https://www.dharitri.com/talk-about-aparajitas-visit/ | ଅପରାଜିତାଙ୍କ ଗସ୍ତଙ୍କୁ ନେଇ ଚର୍ଚ୍ଚା
କେନ୍ଦ୍ରାପଡ଼ା ଅଫିସ,୨୯।୧: ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଶନିବାର କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ସହରର ତିନିମୁହାଣୀଠାରୁ ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ସେ ପଦଯାତ୍ରା କରିଥିଲେ ା ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲା ଭାଜପାର ଅନେକ ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସହର ଓ ଆଖପାଖ ଅଞ୍ଚଳର କର୍ମକର୍ତ୍ତାଙ୍କୁ ଏକାଠି କରି ଅପରାଜିତା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ା ଏବେ ଜିଲା ଭାଜପା ସଙ୍ଗଠନ ୪ ନେତୃତ୍ୱ ଆଡକୁ ଯାଉଛି ବୋଲି ଆଲେଚନା ଆରମ୍ଭ ହୋଇଯାଇଛି ା
ଏ ସମ୍ପର୍କରେ ରାଜନୈତିକ ବିଶ୍ଲେଷକ ଅମରବର ବିଶ୍ୱାଳ, ବିଧୁଭୂଷଣ ମହାପାତ୍ର, ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ଜିଲାରେ ବିଜେଡି ଦବଦବା ସ୍ପଷ୍ଟ ହୋଇଥିଲା। ଏମ୍ପି, ୫ ବିଧାୟକ, ୯ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ଅଧ୍ୟକ୍ଷ ବିଜେଡିରୁ ନିର୍ବାଚିତ ହୋଇଛନ୍ତି ା ଏହାସତ୍ତ୍ୱେ ଜିଲାର ବିକାଶ ଅଗ୍ରଗତି ହେଉ ନ ଥିବା ଦର୍ଶାଇ ବିରୋଧୀ ଭାଜପା ଓ କଂଗ୍ରେସ ଆନ୍ଦୋଳନ ତଥା ରାଲିକୁ ଓହ୍ଲାଇଛନ୍ତି ା ଗତ ନିର୍ବାଚନରେ ଜିତିଥିବା ବିଜେଡି ଏମ୍ପି ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଜିଲା ରାଜନୀତିରେ ଅଦୃଶ୍ୟ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହି ନିର୍ବାଚନ କ୍ଷେତ୍ର ଦଖଲ ପାଇଁ ନିଜ ଅନୁଯାୟୀ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କରିଛନ୍ତି ା ତେବେ ଏଠାରେ ଜିଲା ଭାଜପା ବୈଜୟନ୍ତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଏବେ ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀରେ ବିଭକ୍ତ ହୋଇଛି ା ବୈଜୟନ୍ତଙ୍କ ଅନୁଗତମାନେ ଶନିବାର ଅନୁଷ୍ଠିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ସାମିଲ ହୋଇଥିଲେ ମଧ୍ୟ ଏମ୍ପିଙ୍କ ପଦଯାତ୍ରାରେ ସାମିଲ ହୋଇ ନ ଥିଲେ ା ଅନ୍ୟପକ୍ଷେ କାର୍ଯ୍ୟକାରିଣୀ ବୈଠକ ଓ ଅପରାଜିତାଙ୍କ ପଦଯାତ୍ରାରେ କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ବିଜୟ ମହାପାତ୍ରଙ୍କ ଅନୁଗତମାନେ ବି ସାମିଲ ହୋଇ ନ ଥିଲେ ା ବିଜୟ ମହାପାତ୍ର ଶୁକ୍ରବାର ଏହି ଜିଲା ଗସ୍ତ କରିଥିଲେ ା ମାତ୍ର ଶନିବାର ଏମ୍ପିଙ୍କ ପଦଯାତ୍ରା ଅଥବା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ନ ଥିବାରୁ ଭାଜପା ସହିତ ତାଙ୍କ ତାଳମେଳ ନ ଥିବା ସ୍ପଷ୍ଟ ହୋଇଛି ା ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ଅନୁଗତ ଭାବେ ଜଣାଶୁଣା ଭୁବନମୋହନ ଜେନା, ଦୁର୍ଯ୍ୟୋଧନ ସାହୁ ପ୍ରମୁଖଙ୍କୁ ଏହି ଦୁଇ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା ା ନଗର ସଭାପତି ଦିଲୀପ ଦାଶଙ୍କ ନେତୃତ୍ୱରେ ଏମ୍ପି ଷଡ଼ଙ୍ଗୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ ହେବା ଓ ନଗର ସହ ଜିଲାର କେତେଜଣ କର୍ମକର୍ତ୍ତା ଯୋଗ ଦେବା ଘଟଣା ଏକ ନୂଆ ଗୋଷ୍ଠୀ ସୃଷ୍ଟି ହୋଇଥିବା ରାଜନୈତିକ ବିଶ୍ଲେଷକମାନେ ପ୍ରକାଶ କରିଛନ୍ତି ା
ଏସମ୍ପର୍କରେ ବରିଷ୍ଠ ନେତା ଭୁବନମୋହନ ଜେନା କହିଛନ୍ତି, ପୁରୀ ଜିଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିବାରୁ ଜିଲାର ଦୁଇ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି ା ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, କାର୍ଯ୍ୟକାରିଣୀ ବୈଠକ ଥିବାରୁ ସେ ପଦଯାତ୍ରାରେ ସାମିଲ ହୋଇ ନ ଥିଲେ ା ତେବେ ଦୁହୁରିଆଠାରେ ଏମ୍ପି ଷଡ଼ଙ୍ଗୀଙ୍କୁ ସ୍ବାଗତ ଜଣାଇଛନ୍ତି ା ଅପରାଜିତାଙ୍କୁ ଜିଲାରେ ସାଙ୍ଗଠନିକ ଶକ୍ତି ବହୁଧା ବିଭକ୍ତ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ କାର୍ଯ୍ୟକ୍ରମ ଥିଲା ା ତେବେ ପଦଯାତ୍ରା ସମୟରେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ଉତ୍ସାହ ରହିଥିଲା ା ଫଳରେ ଆଶାଠାରୁ ଅଧିକ ଦଳୀୟ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ ା |
https://www.dharitri.com/lic-ipo-in-may/ | ମେ’ରେ ଏଲ୍ଆଇସି ଆଇପିଓ
ନୂଆଦିଲ୍ଲୀ,୧୪ା୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଆଇପିଓ ଲଞ୍ଚ୍କୁ ନେଇ ନିବେଶକମାନେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ତେବେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ(ସେବି)ନିକଟରେ ନୂଆ ଦସ୍ତାବିଜ ଦାଖଲ ନ କରି ଏଲ୍ଆଇସି ଆଇପିଓ ଆଣିବା ପାଇଁ ସରକାରଙ୍କ ନିକଟରେ ମେ’ ୧୨ ସୁଦ୍ଧା ସମୟ ରହିଛି। ସରକାର ପ୍ରଥମେ ଏଲ୍ଆଇସିର ପ୍ରାୟ ୫% ଶେୟାର ବିକ୍ରି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ଶେଷ ସୁଦ୍ଧା ଆଇପିଓ ଆଣିବା ଲକ୍ଷ୍ୟରେ ଥିଲେ। ଆଇପିଓରେ ପ୍ରାୟ ୬୦,୦୦୦ କୋଟି ନିବେଶ କରିିବା ଯୋଜନା ରଖିଥିବା ବେଳେ ରୁଷ୍ -ୟୁକ୍ରେନ୍ ଯୁଦ୍ଧ ଫଳରେ ଶେୟାର ବଜାରରେ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁ ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ତେବେ ସରକାର ଫେବୃୟାରୀ ୧୩ରେ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ କରିଥିଲା ଏବଂ ଗତ ସପ୍ତାହରେ ତାକୁ ମଞ୍ଜୁରୀ ମିଳିଯାଇଛି। |
https://www.dharitri.com/ବିପଦ-ସଙ୍କେତ-ନିକଟତର-୩-ନଦୀ/ | ବିପଦ ସଙ୍କେତ ନିକଟତର ୩ ନଦୀ
ଛତ୍ରପୁର,୨୫ା୧୦(ଡି.ଏନ.ଏ)- ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିଛି। ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୨୫.୧୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭନ୍ନ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଛି। ବିଶେଷକରି ଋଷିକୁଲ୍ୟା, ବଡନଦୀ ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ୩ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଥିବାରୁ ସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି। ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ରୁ ଗୁରୁବାର ସନ୍ଧ୍ୟାରେ ମିଳିଥିବା ସୂଚନା ଅନୁସାରେ ସୋରଡାଠାରେ ଋଷିକୁଲ୍ୟାର ଜଳସ୍ତର ୮୦.୮୦ ମିଟର ରହିଛି। ଏଠାରେ ବିପଦସଙ୍କେତ ୮୧.୯୯ ମିଟର। ସେହିପରି ଜାନିବିଲିଠାରେ ବିପଦସଙ୍କେତ ୫୩.୧୮ ମିଟର ଥିବାବେଳେ ୫୨.୬୩ ମିଟରରେ ଜଳ ପ୍ରବାହିତ ହେଉଛି। ହୀରାଧାରାବାଟି ଠାରେ ୨୩.୧୬ ମିଟର ବିପଦସଙ୍କେତ ଥିବାବେଳେ ଜଳସ୍ତର ୨୧.୧୯ ମିଟର ଓ ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର ବିପଦସଙ୍କେତ ୧୬.୮୪ ମିଟର ଥିବାବେଳେ ୧୩.୪୫ ମିଟରରେ ଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ବଡନଦୀର ଜଳସ୍ତର ସୋରିଷମୂଳ ବ୍ୟାରେଜ୍ଠାରେ ବିପଦସଙ୍କେତ ୧୦୨.୧୧ ମିଟର ଥିବାବେଳେ ୧୦୧.୨୩ ମିଟରରେ, ନୂଆଗାଁ ବ୍ରିଜ୍ ଠାରେ ବିପଦସଙ୍କେତ ୭୦.୯୩ ମିଟର ରହିଥିବା ବେଳେ ୬୮.୧୩ ମିଟର, ମାଧବରିଡାଠାରେ ବିପଦସଙ୍କେତ ୬୦.୬୫ ମିଟର ଥିବାବେଳେ ୫୯.୧୩ ମିଟରରେ ଜଳ ପ୍ରବାହିତ ହୋଇଛି। ସେହିପରି ବାହୁଦା ନଦୀର ବିପଦସଙ୍କେତ କଳିଙ୍ଗଦୋଳାଠାରେ ୩୨.୫୦ ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜଳସ୍ତର ୩୧.୩୬ ମିଟର ରହିଛି।
ଆହୁରି ୨୪ ଘଣ୍ଟା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବାରୁ ନଦୀଗୁଡିକର ଜଳସ୍ତର ଆହୁରି ବଢିବ ବୋଲି ଜଣାପଡିଛି। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ତହସିଲଦାର, ବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଚିକିଟି ବ୍ଲକରେ ସର୍ବାଧିକ ୨୦୩ ମିମି ବର୍ଷା ହୋଇଥିବାବେଳେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୯୨.୪ ମିମି, ଛତ୍ରପୁର ବ୍ଲକରେ ୧୧୨ ମିମି, ଗଞ୍ଜାମ ବ୍ଲକରେ ୧୧୩ ମିମି ବର୍ଷା ହୋଇଛି। ସେହିପରି ପୁରୁଷୋତ୍ତମପୁର ବ୍ଲକରେ ୧୨୦ ମିମି, କବିସୂର୍ଯ୍ୟନଗର ବ୍ଲକରେ ୧୨୦ ମିମି. ବେଗୁନିଆପଡା ବ୍ଲକରେ ୧୦୬.୪ ମିମି, ଖଲ୍ଲିକୋଟ ବ୍ଲକରେ ୧୦୭ ମିମି, ହିଞ୍ଜିିଳି ବ୍ଲକରେ ୧୧୪ ମି.ମି., କୁକୁଡାଖଣ୍ଡି ବ୍ଲକରେ ୧୭୫ ମିମି, ପାତ୍ରପୁର ବ୍ଲକରେ ୧୮୫.୫ ମି.ମି., ସାନଖେମୁଣ୍ଡି ବ୍ଲକରେ ୧୪୭ ମିମି ବର୍ଷା ହୋଇଛି। ଦିଗପହଣ୍ଡି ବ୍ଲକରେ ୧୧୫ ମିମି, ପୋଲସରା ବ୍ଲକରେ ୮୦.୨ ମିମି, ଭଞ୍ଜନଗର ବ୍ଲକରେ ୮୬ ମିମି, ବେଲଗୁଣ୍ଠା ବ୍ଲକରେ ୧୧୨ ମିମି, ଜଗନ୍ନାଥପ୍ରସାଦ ବ୍ଲକରେ ୮୭ ମିମି, ବୁୁଗୁଡା ବ୍ଲକରେ ୮୯ ମିମି, ଆସିକା ବ୍ଲକରେ ୧୨୭.୬ ମିମି, ଧରାକୋଟ ବ୍ଲକରେ ୧୨୦ ମିମି, ଶେରଗଡ ବ୍ଲକରେ ୧୪୨ ମିମି ଓ ସୋରଡା ବ୍ଲକରେ ୧୦୦ ମିମି ବର୍ଷା ହୋଇଥିବା କଣ୍ଟ୍ରୋଲ ରୁମ୍ରୁ ସୂଚନା ମିଳିଛି। ସନ୍ଧ୍ୟାରୁ ବର୍ଷାର ପରିମାଣ କମିଛି। |
https://www.dharitri.com/ଭାରତୀୟ-ଦଳର-ଫିଲ୍ଡିଂ-କୋଚ୍/ | ଭାରତୀୟ ଦଳର ଫିଲ୍ଡିଂ କୋଚ୍ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ
ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି। ନିଜର ଅବିଶ୍ୱସନୀୟ ଫିଲ୍ଡିଂ ପାଇଁ କ୍ରିକେଟ୍ ଜଗତରେ ପରିଚିତ ଜଣ୍ଟି ଏହି ପଦ ପାଇଁ ଆବେଦନ କରିଥିବା ପାର୍ଥୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଚେହେରା ହୋଇଛନ୍ତି। ‘ହଁ, ଭାରତୀୟ ଦଳର ନୂଆ ଫିଲ୍ଡିଂ କୋଚ୍ ପଦ ପାଇଁ ମୁଁ ଆବେଦନ କରିଛି। ମୁଁ ଏବଂ ମୋ ସ୍ତ୍ରୀ ଆମେ ଉଭୟ ଏହି ଦେଶକୁ ବହୁତ ଭଲ ପାଉ। ଆମେ ଏଠାରୁ ଅନେକ କିଛି ପାଇଛୁ। ଆମର ଦୁଇ ସନ୍ତାନ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି’ ବୋଲି ୪୯ ବର୍ଷୀୟ ରୋଡ୍ସ ଏକ ଓ୍ବେବ୍ସାଇଟ୍କୁ ସାକ୍ଷାତକାର ଅବସରରେ କହିଛନ୍ତି। ୧୯୯୨ରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଜଣ୍ଟି ଜାତୀୟ ଦଳ ପକ୍ଷରୁ ୫୨ ଟେଷ୍ଟ ଓ ୨୪୫ ଦିନିକିଆ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଛନ୍ତି। ତେବେ ବ୍ୟାଟିଂ ଅପେକ୍ଷା ସେ ନିଜର ଫିଲ୍ଡିଂ ଲାଗି ସେ ବେଶ୍ ପରିଚିତ ଲାଭ କରିପାରିଥିଲେ। ବିଶେଷ କରି ୧୯୯୨ ବିଶ୍ୱକପ୍ରେ ସେ ଯେଉଁଭଳି ଭାବେ ପାକିସ୍ତାନ ଅଧିନାୟକ ଇଞ୍ଜାମାମ-ଉଲ୍-ହକ୍ଙ୍କୁ ‘ଉଡିକି’ ରନ୍ ଆଉଟ୍ କରିଥିଲେ ତାହା ଆଜି ବି କ୍ରିକେଟ୍ପ୍ରେମୀଙ୍କ ମନରେ ଉଜ୍ଜିବୀତ ରହିଛି। ଜଣ୍ଟି ଏଥିପୂର୍ବରୁ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିଭଳି କିଛିଦିନ ପୂର୍ବେ ସେ ଟି୨୦ ମୁମ୍ବାଇ ଲିଗ୍ ଅବସରରେ ଏକ ଫିଲ୍ଡିଂ କର୍ମଶାଳା ଆୟୋଜନ କରିଥିଲେ।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କୋଚ୍ ସମେତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଓ ଫିଲ୍ଡିଂ କୋଚ୍ ପଦ ପାଇଁ ନିକଟରେ ଦରଖାସ୍ତ ଆହ୍ବାନ କରିଥିଲା, ଯାହାର ଶେଷ ତାରିଖ ଜୁଲାଇ ୩୦ ରହିଛି। ବର୍ତ୍ତମାନ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଦାୟିତ୍ୱ ତୁଲାଉଥିବା ଆର୍ ଶ୍ରୀଧରଙ୍କ ଅବଧି ବିଶ୍ୱକପ୍ ପରେ ଶେଷ ହୋଇଯାଇଥିଲେ ମଧ୍ୟ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତକୁ ନଜରରେ ରଖାଯାଇ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। |
https://www.dharitri.com/tuberculosis-will-end/ | ଯକ୍ଷ୍ମାର ଘଟିବ ଅନ୍ତ
ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି ବିଶ୍ୱର ପ୍ରାୟ ସର୍ବତ୍ର ଦେଖାଯାଉଥିଲେ ମଧ୍ୟ ରୋଗାକ୍ରାନ୍ତ ବ୍ୟକ୍ତିମାନେ ମୁଖ୍ୟତଃ ବିଶ୍ୱର ଗରିବ ଦେଶଗୁଡ଼ିକର ଗରିବ ବାସିନ୍ଦା। ରୋଗୀମାନଙ୍କ ମଧ୍ୟରୁ ପାଖାପାଖି ଏକ ତୃତୀୟାଂଶ ହେଉଛନ୍ତି ଭାରତୀୟ ଉପମହାଦେଶର ଅଧିବାସୀ। ସବୁଠାରୁ ଅଧିକ ରୋଗୀ ରହିଛନ୍ତି ଭାରତ ଏବଂ ଚାଇନାରେ। ଯକ୍ଷ୍ମା ସଂକ୍ରମଣ ଭାରତ ଉପରେ ଏକ ବିରାଟ ବୋଝ ରୂପେ ଦଣ୍ଡାୟମାନ। ଭାରତରେ ରହିଛନ୍ତି ୨୦ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀ। ପ୍ରତି ତିନି ମିନିଟରେ ଦୁଇ ଜଣ ବ୍ୟକ୍ତି ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥାଆନ୍ତି।
ଯକ୍ଷ୍ମା ଏକ ଜୀବାଣୁଜନିତ ରୋଗ। ଜୀବାଣୁଟିର ନଁା ‘ମାଇକୋବ୍ୟାକ୍ଟେରିୟସ’। ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ରୋଗୀଙ୍କର ଛେପଖଙ୍କାରରେ ଏହି ଜୀବାଣୁ ରହିଥିଲେ ସେହି ରୋଗୀଠାରୁ ସଂକ୍ରମଣ ପ୍ରସାରଲାଭ କରେ। ରୋଗଟି ବାୟୁବାହିତ। ସଂକ୍ରମିତ ରୋଗୀର କାଶ ଓ ଛିଙ୍କ ଦ୍ୱାରା ଜୀବାଣୁ ବାୟୁରେ ମିଶି ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ ଓ ରୋଗ ସୃଷ୍ଟିର କାରଣ ହୋଇପଡ଼େ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁ ବୟସର ଲୋକେ ଏହି ରୋଗ ଭୋଗିଥାଆନ୍ତି। କିନ୍ତୁ ମହିଳାମାନଙ୍କ ତୁଳନାରେ ପୁରୁଷମାନେ ରୋଗଟି ପ୍ରତି ଅଧିକ ସମ୍ବେଦନଶୀଳ।
ଶରୀରର ପ୍ରାୟ ସବୁ ରଙ୍ଗକୁ ଯକ୍ଷ୍ମା ଆକ୍ରାନ୍ତ କରିଥାଏ। ଚର୍ମ, ଅନ୍ତନଳୀ, ହାଡ଼, ଗଣ୍ଠି, ଲସିକା ଗ୍ରନ୍ଥି, କିଡ୍ନୀ ଏପରିକି ମସ୍ତିଷ୍କ-କୌଣସିଟି ଯକ୍ଷ୍ମା କବଳରୁ ସୁରକ୍ଷିତ ନୁହେଁ। କିନ୍ତୁ ପାଖାପାଖି ୮୦ ଶତାଂଶ କ୍ଷେତ୍ରରେ ରୋଗ ହୋଇଥାଏ ଫୁସ୍ଫୁସ୍ରେ। ଜୀବାଣୁଗୁଡ଼ିକ ବାୟୁବାହିକ ହୋଇଥିବାରୁ ରୋଗ ମୁଖ୍ୟତଃ ଫୁସ୍ଫୁସ୍କୁ ସଂକ୍ରମିତ କରିବା ସ୍ବାଭାବିକ। ଯକ୍ଷ୍ମା ଜୀବାଣୁ ମଣିଷ ଶରୀରରେ ବର୍ଷ ବର୍ଷ ଧରି ନିଷ୍କ୍ରିୟ ହୋଇ ରହି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ସକ୍ରିୟ ହୋଇଉଠେ ଏବଂ ରୋଗ ସୃଷ୍ଟିର କାରଣ ହୋଇପଡ଼େ। ରୋଗଟି ବଂଶଗତ ନୁହେଁ।
ଡାଇବେଟିସ୍, କ୍ୟାନ୍ସର ରୋଗୀ, ଏଚ୍ଆଇଭି ସଂକ୍ରମିତ ରୋଗୀ, ଅପପୁଷ୍ଟି ଆକ୍ରାନ୍ତ ବ୍ୟକ୍ତି, ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି, ମାନସିକ ଚାପଗ୍ରସ୍ତ ଲୋକ ଏବଂ ଷ୍ଟେରଏଡ୍ ଔଷଧ ଚିକିତ୍ସାରେ ରହିଥିବା ରୋଗୀ ଯକ୍ଷ୍ମାଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। କାରଣ ଏମାନଙ୍କଠାରେ ହ୍ରାସ ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି। ବାୟୁ ଚଳାଚଳ ହେଉ ନ ଥିବା ଛୋଟ ଘରେ ରହୁଥିଲେ ରୋଗ ହେବାର ଆଶଙ୍କା ଅଧିକ।
ଲକ୍ଷଣ: ଯକ୍ଷ୍ମା ରୋଗର ପ୍ରଧାନ ଲକ୍ଷଣ ବିଷୟରେ ଜାଣି ରଖିବା ନିହାତି ଦରକାର। ସବୁରୋଗୀଙ୍କଠାରେ ଲକ୍ଷଣ ପ୍ରକାଶ ପାଇ ନ ଥାଏ। ଯେଉଁ ରୋଗୀମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥାଏ, ସେହି ଲକ୍ଷଣଗୁଡ଼ିକ ମଧ୍ୟରେ ପ୍ରଧାନ ହେଲା ସାମାନ୍ୟ ଜ୍ୱର ଓ କାଶ। ଏହି ଲକ୍ଷଣ ତିନି ସପ୍ତାହରୁ ବେଶି ସମୟ ଲାଗି ରହିପାରେ। ସାଧାରଣତଃ ଜ୍ୱର ଆସିଥାଏ ସନ୍ଧ୍ୟା ସମୟରେ। ରାତିରେ ଝାଳ ବୁହେ। ଛାତିରେ ଯନ୍ତ୍ରଣା ହୋଇପାରେ। ଭୋକ ମରିଯାଏ। ଖୁବ୍ ହାଲିଆ ଲାଗେ। କମିଯାଏ ଓଜନ। ଚିକିତ୍ସା ନ କଲେ ରୋଗୀ ହୋଇଯାଏ କଙ୍କାଳସାର।
ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା : ଯକ୍ଷ୍ମା ରୋଗର ନିର୍ଣ୍ଣୟ ପାଇଁ ଡାକ୍ତର ପ୍ରଥମେ ଷ୍ଟେଥେସ୍କୋପ ସାହାଯ୍ୟରେ ରୋଗୀର ଫୁସ୍ଫୁସ୍ ପରୀକ୍ଷା କରିଥାଆନ୍ତି। ବେକରେ ଲସିକା ଗ୍ରନ୍ଥି ବଢ଼ିଛି କି ନାହିଁ ପରୀକ୍ଷା କରି ଦେଖନ୍ତି। ଚର୍ମ ତଳେ ଇଞ୍ଜେକଶନ ଦେଇ କରାଯାଏ ମାଣ୍ଟ ପରୀକ୍ଷା। କରାଯାଏ ରକ୍ତ ପରୀକ୍ଷା ଏବଂ ଛାତିର ଏକ୍ସ-ରେ। ସ୍ଥଳବିଶେଷରେ ଆବଶ୍ୟକ ପଡ଼ିପାରେ ଫୁସ୍ଫୁସ୍ର ସିଟି ସ୍କାନ୍। ତେବେ ଯକ୍ଷ୍ମା ରୋଗ ନିର୍ଣ୍ଣୟ ପାଇଁ ରୋଗୀର ଖଙ୍କାର ପରୀକ୍ଷା ଜରୁରୀ, ଯେଉଁଥିରୁ ସେଥିରେ ଯକ୍ଷ୍ମା ଜୀବାଣୁ ଅଛି କି ନାହିଁ ଜଣାପଡ଼ିଲେ ରୋଗ ନିର୍ଣ୍ଣୟରେ ଆଉ କୌଣସି ସନ୍ଦେହ ରହେ ନାହିଁ।
ଚିକିତ୍ସା: ରୋଗ ନିର୍ଣ୍ଣିତ ହେବା ପରେ ଆରମ୍ଭ କରାଯାଏ ଚିକିତ୍ସା। ଯକ୍ଷ୍ମାର ଫଳପ୍ରଦ ଚିକିତ୍ସା ପାଇଁ ଅନେକ ଔଷଧ ଉପଲବ୍ଧ। ନିୟମିତ ତଥା ଯଥାର୍ଥ ଚିକିତ୍ସାରେ ରହିଲେ ରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ। କିନ୍ତୁ ଯକ୍ଷ୍ମା ଜୀବାଣୁ ଏବେ ଏକାଧିକ ଔଷଧ ପ୍ରତି ପିଠିଆ ହୋଇପଡ଼ିବା ଚିକିତ୍ସକମାନଙ୍କ ପାଇଁ ଏକ ବିରାଟ ଆହ୍ବାନ ରୂପେ ଉଭା ହେଲାଣି। ଏହାବ୍ୟତୀତ ଔଷଧ ଖାଇବାରେ ଅନିୟମିତ, ଚିକିତ୍ସିତ ହେଲା ବେଳେ ଟିକିଏ ସୁସ୍ଥ ଅନୁଭବ କଲେ ଚିକିତ୍ସା ଅଧାରୁ ଔଷଧ ବନ୍ଦ କରିଦେବା ଏବଂ ନିୟମିତ ଭାବରେ ରୋଗୀ ପାଇଁ ଔଷଧ ଉପଲବ୍ଧ ନ ହେବା ହେଉଛି ଔଷଧ ନିରୋଧିତାର କେତେକ ମୁଖ୍ୟ କାରଣ। ଜୀବାଣୁଗୁଡ଼ିକ ଔଷଧ ବିରୋଧୀ ହୋଇପଡ଼ିବା ଯୋଗୁ ଚିକିତ୍ସା ସମସ୍ୟା ହୋଇପଡ଼ିଛି ଅଧିକ ଜଟିଳ। ସେଥିପାଇଁ ଏବେ ଡାଇରେକ୍ଟଲି ଅବ୍ଜରଭଡ ଥେରାପି ବା ‘ଡଟ୍’ ପଦ୍ଧତିରେ ଚିିକିତ୍ସା କରି ସୁଫଳ ମିଳୁଛି। ଏହି ପଦ୍ଧତିରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତଦାରଖରେ ରୋଗୀକୁ ନିୟମିତ ଔଷଧ ଖୁଆଇବା ବ୍ୟବସ୍ଥା ଅନୁସୃତ ହେଉଛି। ଯକ୍ଷ୍ମାରୋଗର ନିବାରଣ ପାଇଁ ଶିଶୁଙ୍କୁ ଦିଆଯାଉଛି ବିସିଜି ଟିକା।
ଯକ୍ଷ୍ମା ହେଉଛି ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ଏକ ସାମାଜିକ ବ୍ୟାଧି। ଏହାକୁ ସମାଜ ମଙ୍ଗଳର ବାରୋମିଟର ଭାବରେ ଅଭିହିତ କରାଯାଉଛି। ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ କରାୟତ୍ତ କରିବା ଲକ୍ଷ୍ୟ ରଖିଛି ଭାରତ।
-ଡା. ନିତ୍ୟାନନ୍ଦ ସ୍ବାଇଁ, |
https://www.dharitri.com/students-will-take-the-exam-in-the-local-language/ | ସ୍ଥାନୀୟ ଭାଷାରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୨୦ା୪: କୌଣସି ବିଷୟରେ ଇଂଲିଶ୍ରେ ପାଠପଢ଼ା ହେଉଥିଲେ ମଧ୍ୟ ପରୀକ୍ଷା ବେଳେ ଛାତ୍ରୀଛାତ୍ରମାନଙ୍କୁ ନିଜ ସ୍ଥାନୀୟ ଭାଷାରେ ଲେଖିବାକୁ ସୁଯୋଗ ଦିଆଯିବ। ଏନେଇ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଦେଶ ଦେଇଛନ୍ତି। ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦୀଶ କୁମାର କହିଛନ୍ତି, ମୂଲ୍ୟାଙ୍କନକାରୀଙ୍କୁ ଡକାଇବା ସହ ପାଠ୍ୟପୁସ୍ତକଗୁଡ଼ିକର ଅନୁବାଦକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ୟୁନିଭର୍ସିଟିଗୁଡ଼ିକରେ ଆଞ୍ଚଳିକ ଭାଷାରେ ଶିକ୍ଷା ଦାନ ଓ ଗ୍ରହଣ ପ୍ରକ୍ରିୟା କରାଇବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାରେ ଭାରତୀୟ ଭାଷାଗୁଡ଼ିକର ନିୟମିତ ବ୍ୟବହାର ହେଉଛି ନୂଆ ଜାତୀୟ ଶିକ୍ଷା ନୀତି (ଏନ୍ଇପି)ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମାତୃଭାଷା ଓ ସ୍ଥାନୀୟ ଭାଷାରେ ପାଠ ପଢ଼ାଇବା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ଜ୍ଞାନ ଆହରଣ ଦକ୍ଷତାର ବିକାଶ ଘଟିବ ବୋଲି ଜଗଦୀଶ କହିଛନ୍ତି। ଇଂଲିଶ୍ରେ ପାଠ ପଢ଼ା ଜାରି ରହିଥିଲେ ମଧ୍ୟ ସ୍ଥାନୀୟ ଭାଷାରେ ଶିକ୍ଷା ଦାନ ଓ ଗ୍ରହଣ ଆରମ୍ଭ ହେଲେ ଛାତ୍ରୀଛାତ୍ର ଏଥିରେ ଅଧିକ ଜଡ଼ିତ ହେବେ। ଫଳରେ ସଫଳତା ହାର ବୃଦ୍ଧି ପାଇବ। ଏହାଦ୍ୱାରା ସେମାନେ ପରିପ୍ରକାଶ ପାଇଁ ମଧ୍ୟ ଅଧିକ ସୁଯୋଗ ପାଇବେ ବୋଲି ୟୁଜିସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। |
https://www.dharitri.com/262-corona-positives-in-state/ | ଆଜି ରାଜ୍ୟରୁ ୨୬୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୨୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୪୭୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୪୨ ଜଣ ଶିଶୁ ବି ଅଛନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୧ ଏବଂ ସମ୍ବଲପୁରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୧୨,ବରଗଡ଼ ୧, ଭଦ୍ରକ ୫, ଦେବଗଡ଼ ୩, ଢେଙ୍କାନାଳ ୫, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୬, ଝାରସୁଗୁଡ଼ା ୨, କେନ୍ଦ୍ରାପଡ଼ା ୮, କୋରାପୁଟ ୧, ମାଲକାନଗିରି ୧, ମୟୂରଭଞ୍ଜ ୫, ନୟାଗଡ଼ ୨, ପୁରୀ ୧, ରାୟଗଡ଼ାରୁ ୧ ୧ ଏବଂ ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୩୧।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୪୫,୪୭୧ରେ ପହଞ୍ଚିଥିବାବେଳେ ୧୦,୩୪,୩୦୦ଜଣ ସୁସ୍ଥ ହୋଇଛନ୍ତି। ୨୭୪୧ ଜଣ ଚିକିିତ୍ସିତ ହେଉଛନ୍ତି। |
https://www.dharitri.com/କଙ୍କଡ଼ା-ବିଛା-କାମୁଡ଼ିବାରୁ/ | କଙ୍କଡ଼ା ବିଛା କାମୁଡ଼ିବାରୁ ମହିଳା ମୃତ
ଗୋପାଳପୁର,୧୭ା୯-ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମରେ ସୋମବାର କଙ୍କଡ଼ା ବିଛା କାମୁଡ଼ିିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦ୍ରମଣି ବେହେରା (୨୨)। ଚାନ୍ଦପୁର କୁମ୍ଭାର ସାହିର ଚନ୍ଦ୍ରମଣି ୨ ବର୍ଷ ପୂର୍ବେ ବି.ତୁରୁବୁଡ଼ିରେ ବିବାହ କରିଥିଲେ। ଗତ ଏକ ମାସ ହେଲା ସେ ବାପ ଘରକୁ ଆସିଥିଲେ। ସୋମବାର ମାଟି ଦିପାଳିକୁ ଛାତ ଉପରେ ଶୁଖାଇଲା ସମୟରେ ଏକ ବିଷାକ୍ତ କଙ୍କଡ଼ା ବିଛା ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଚନ୍ଦ୍ରମଣିଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାପ ଏ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ନଂ. ୨୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ମଙ୍ଗଳବାର ସନ୍ଧ୍ୟାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। |
https://www.dharitri.com/୮୫୦-କି-ମି-ସାଇକେଲ-ଚଳାଇ-ବିବା/ | ୮୫୦ କି.ମି. ସାଇକେଲ ଚଳାଇ ବିବାହ ପାଇଁ ପହଞ୍ଚିଲେ ଯୁବକ
ଲକ୍ଷ୍ନୌ,୧୭।୪: ମହାମାରୀ କରୋନା ଭାଇରସ୍ ସହ ସାରା ବିଶ୍ୱ ଲଢ଼େଇ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏଥିଯୋଗୁ ଜନଜୀବନ ଓ କାମକାର୍ଯ୍ୟ ସବୁ ଠପ୍ ହୋଇଯାଇଛି। ଏଥିସହ ଲୋକମାନେ ଘରେ ବନ୍ଦୀ ହୋଇ ରହୁଛନ୍ତି। ଲକ୍ଡାଉନ୍ ଯୋଗୁ କେତେକ ବିବାହ ଭିଡିଓ କନ୍ଫରେନ୍ସିଂରେ ହେଉଥିବା ବେଳେ ଆଉ କେତେକ ସ୍ଥଗିତ ହୋଇଥିବା ଜଣାପଡ଼ିଛି। ଇତିମଧ୍ୟରେ ଜଣେ ଯୁବକ ବିବାହ କରିବା ପାଇଁ ପ୍ରାୟ ୧୦୦୦ କିଲୋମିଟର ଯାତ୍ରା ଅତିକ୍ରମ କରିଛନ୍ତି। ହେଲେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପୂର୍ବରୁ ପୋଲିସ ଯୁବକଙ୍କୁ କ୍ୱାରାଣ୍ଟାଇନ୍ରେ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲାର ପିପରା ରସୁଲପୁର ଗାଁରେ ସୋନୁ ଚୌହାନ ଓ ତାଙ୍କ ପରିବାର ରୁହନ୍ତି। କିନ୍ତୁ ସେ ପଞ୍ଜାବର ଲୁଧିଆନାରେ ଟାଇଲ୍ସ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଏପ୍ରିଲ ୧୫ରେ ସୋନୁଙ୍କ ବିବାହ ତାଙ୍କ ଗାଁରୁ ପ୍ରାୟ ୨୫ କିଲୋମିଟରରେ ଦୂରରେ ଥିବା ଏକ ଗାଁରେ ଠିକ୍ ହୋଇଥିଲା। ହେଲେ କରୋନା ଯୋଗୁ ଦେଶରେ ଲକ୍ଡାଉନ୍ ଘୋଷଣା ହେବା ପରେ ସେ ଆଉ ଘରକୁ ଫେରି ପାରି ନ ଥିଲୋ। ତେବେ ବିବାହ ପାଇଁ ସେ ପ୍ରାୟ ହଜାରେ କିଲୋମିଟର ଯାତ୍ରା କରିବାକୁ ମନସ୍ତ କରିଥିଲେ। ଆଉ ଏଥିପାଇଁ ସେ ସାଇକେଲକୁ ବାଛିଥିଲେ। ୩ସାଙ୍ଗଙ୍କ ସହ ସୋନୁ ସାଇକେଲରେ ଲୁଧିଆନାରୁ ବହାରିଥିଲେ। ୬ଦିନରେ ସେ ପ୍ରାୟ ୮୫୦ କିଲୋମିଟର ରାସ୍ତା ଅତିକ୍ରମ କରି ସାଙ୍ଗମାନଙ୍କ ସହ ସୋନୁ ବଲରାମପୁର ପହଞ୍ଚିଥିଲେ। ସେଠାରେ ପୋଲିସ ସୋନୁ ଓ ତାଙ୍କ ସାଙ୍ଗଙ୍କୁ ଅଟକାଇବା ସହ ଆଗକୁ ଯିବା ପାଇଁ ଅନୁମତି ଦେଇ ନ ଥିଲା। ସୋନୁ ଘରକୁ ଯିବା ପାଇଁ ପୋଲିସକୁ ନିବେଦନ କରିଥିଲେ। ହେଲେ ସେ ଘରକୁ ଯାଇପାରିଥିଲେ ନା ବିବାହ କରିପାରିଥିଲେ। ପୋଲିସ ସିଧା ସେମାନଙ୍କୁ ବଲରାମପୁରର କ୍ୱାରାଣ୍ଟାଇନ୍ ସେଣ୍ଟରକୁ ପଠାଇଦେଇଥିଲା। ବର୍ତ୍ତମାନେ ସେ ଓ ତାଙ୍କ ସାଙ୍ଗ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ତେବେ ଜୀବନ ଥିଲେ ବିବାହ ପୁଣି ଥରେ ହୋଇପାରିବ ବୋଲି ସୋନୁ କହିଛନ୍ତି। |
https://www.dharitri.com/ଗଛରେ-ଝୁଲୁଛନ୍ତି-ଶହ-ଶହ-ନିବସ/ | ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ
ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜିବି ରହସ୍ୟ ହୋଇ ରହିଯାଇଛି। ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି। ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ। ଏମାନଙ୍କ ମୁଣ୍ଡର ଚୁଟି ଗଛରେ ବନ୍ଧା ହୋଇଥିବା ବେଳେ ସମଗ୍ର ଶରୀର ତଳକୁ ଝୁଲି ରହିଛି। ଗଛରେ ଝୁଲୁଥିବା ଏହି ନିବସ୍ତ୍ର ନାରୀ ସଦୃଶ ପଦାର୍ଥଟି ଫଳ କି ପରିବା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ହୁ-ବ-ଡୁ ବାଳିକା ଭଳି ଦେଖାଯାଉଥିବା ଏହି ଫଳଟି ନେରିଫନ୍ ନାମକ ଗଛରେ ଫଳିଥିବା ଦେଖିବାକୁ ମିଳେ। ଏହାର ରଙ୍ଗ ସବୁଜ। ତେବେ ଥାଇଲାଣ୍ଡରେ ଏହି ଗଛକୁ ନେଇ ଏକ ମାନ୍ୟତା ରହିଛି। ଲୋକଙ୍କ ବିଶ୍ୱାସ ରହିଛି ନେରିଫନ୍ ଗଛକୁ କୁଆଡେ ଭଗବାନ ବୁଦ୍ଧ ଏଠାରେ ଲଗାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଫଳଟି ଗଛରେ ମାତ୍ର ୭ଦିନ ପର୍ଯ୍ୟନ୍ତ ରହିଥାଏ। କେହି ଏହାକୁ ତୋଳି ନେଇ ଯାଆନ୍ତି ନଚେତ୍ ଏହା ଆପଣାଛାଏଁ ଝଡି ଯାଇଥାଏ। ତେବେ ଏହି ନିବସ୍ତ୍ର ନାରୀ ସଦୃଶ ଫଳରେ ଆତ୍ମା ରହିଛି ବୋଲି କେହି କେହି ବିଶ୍ୱାସ କରନ୍ତି। କାରଣ ଏହା ଆପଣାଛାଏଁ ନାଚି ଗାଇ ପାରେ। |
https://www.dharitri.com/peshawar-bomb-blast-bomber-was-in-police-uniform-maryam-nawaz-blames-ex-isi-chief-faiz-hamid/ | ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ
ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ ୨୦୦ରୁ ଅଧିକ ଆହତଙ୍କର ଚିକିତ୍ସା ଚାଲିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପୋଲିସ ରହିଛନ୍ତି । ପାକିସ୍ତାନର ଖେବର ପଖତୁନଖ୍ୱାର ପୋଲିସ ମୁଖ୍ୟ ମୋଅଜ୍ଜମ ଜାହ ଅଂସାରୀ ଗୁରୁବାର କହିଛନ୍ତି, ଆକ୍ରମଣକାରୀ ଆତ୍ମଘାତୀ ଥିଲେ ଓ ଏକ ସିସିଟିଭି ଫୁଟେଜରୁ ଜଣାପଡିଛି କି ସେ ପୋଲିସ ପୋଷାକ ପିନ୍ଧିବା ସହ ମାସ୍କ ଓ ହେଲମେଟ ପିନ୍ଧିଥିଲେ ।
ପୋଲିସ ମୁଖ୍ୟ କହିଛନ୍ତି ଆକ୍ରମଣକାରୀଙ୍କ ମୁଣ୍ଡ ଜବତ କରାଯାଇଛି । ଏହାସହ ଏକ ବଲ ବିୟରିଂଗ ବି ଜବତ କରାଯାଇଛି, ଯାହା ସୁଇାଇଡ ଜ୍ୟାକେଟରେ ବ୍ୟବହାର କରାଯାଇଥାଏ । ପୋଲିସ କହିଛି ଆକ୍ରମଣକାରୀ ଯେଉଁ ମୋଟର ସାଇକେଲରେ ଆସିଥିଲେ ସେ ସମ୍ପର୍କରେ ମଧ୍ୟ ସୂଚନା ମିଳି ସାରିଛି । ପୋଲିସର ସୂଚନା ଅନୁଯାୟୀ, ବିସ୍ଫୋରଣ ପାଇଁ ୧୦-୧୨ କିଲୋ ଟିଏନଟି ବ୍ୟବହାର କରାଯାଇଥିଲା, ଫଳରେ ବିସ୍ଫୋରଣ ଏତେ ଯୋରରେ ହୋଇଥିଲା । ଏଥିରେ ମସଜିଦର ଛାତ ଓ ପାଚିରି ଭାଙ୍ଗି ଯାଇଥିଲା । ଫଳରେ ମୃତକଙ୍କ ସଂଖ୍ୟା ବଢିଯାଇଛି ।
ପେଶାୱର ବୋମା ବିସ୍ଫୋରଣକୁ ନେଇ ମୁସଲିମ ଲିଗ ନୱାଜର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପୂର୍ବତନ ଆଇଏସଆଇ ଚିଫ ଜେନରାଲ ଫୈଜ ହାମିଦଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାସହ ତାଙ୍କୁ ପେଶାୱାର ଆକ୍ରମଣ ପାଇଁ ଦାୟୀ କରିଛନ୍ତି । ମରିୟମ ନୱାଜ କହିଛନ୍ତି ଇମ୍ରାନ ଖାଁଙ୍କ ଅତି ନିକଟତର ଥିଲେ ଜେନରାଲ ଫୈଜ ହାମିଦ, ସେ ପେଶାୱରରେ ଆର୍ମି କମାଣ୍ଡ ଭାବେ ନିଯୁକ୍ତ ଥିଲେ ଓ ସେ ହିଁ ଆତଙ୍କବାଦୀଙ୍କ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ମରିୟମ କହିଛନ୍ତି ସେ ଇମ୍ରାନଙ୍କ ଆଖି, ହାତ ଓ କାନ ଥିଲେ, ଯଦି ସେ ପାକିସ୍ତାନର ହାତ, କାନ ଓ ଆଖି ହୋଇଥାଆନ୍ତେ ତେବେ ପରିସ୍ଥିତି ଅଲଗା ହୋଇଥାଆନ୍ତା । |
https://www.dharitri.com/ଶୋଇକି-ଉଠିଲା-ବେଳକୁ-ବେଶୀ-ଯନ/ | ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍ ପରାଜୟ:କୋହଲି
ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି, ଦଳର ପରାଜୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶୀ ମର୍ମାହତ ହୋଇପଡିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଶୋଇକି ଉଠିଲା ପରେ ବିଶ୍ୱକପ ପରାଜୟ ବେଶୀ ଯନ୍ତ୍ରଣା ଦେଉଛି। ସବୁ ସ୍ତରରେ ଦଳ ଉଚ୍ଚକୋଟୀର ଖେଳ ପ୍ରଦଶର୍ଶନ କରିଥିଲେ ସୁଦ୍ଧା ଗୋଟିଏ ମ୍ୟାଚ୍ରେ ଖରାପ ପ୍ରଦର୍ଶନ ସବୁ ସ୍ବପ୍ନକୁ ଧୂଳିସାତ୍ କରିଦେଇଛି ବୋଲି କୋହଲି କହିଛନ୍ତି। ଏଭଳି ପରାଜୟକୁ ସହଜରେ ହଜମ କରିବା କଷ୍ଟକର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ୧୮ ରନ୍ରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା। |
https://www.dharitri.com/miragpur-village-recorded-in-india-book-of-records/ | ୫୦୦ ବର୍ଷଧରି ଏହି ଗାଁ ଲୋକମାନେ ଗ୍ରହଣ କରିନାହାନ୍ତି ଆମିଷ ଓ ନିଶାଦ୍ରବ୍ୟ : ଜାଣନ୍ତୁ କ’ଣ ରହିଛି କାରଣ
ଉତ୍ତରପ୍ରଦେଶର ଦେଓବନ୍ଦଠାରୁ ୫ କିଲୋମିଟର ଦୂରରେ ଏକ ଏକରି ଗାଁ ଅଛି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ମାଙ୍ଗାଲୋର ରୋଡରେ ଥିବା କାଳୀ ନଦୀ କୂଳରେ ଅବସ୍ଥିତ ମିରାଗପୁର ଗାଁ ଏହାର ବିଶେଷ ଜୀବନଶୈଳୀ ଏବଂ ସ୍ବଭାବିକ୍ ଖାଦ୍ୟ ପାଇଁ ପ୍ରସିଦ୍ଧ। ୫୦୦ ବର୍ଷଧରି ଏହି ଗ୍ରାମବାସୀ ଆମିଷ ଓ ନିଶାଦ୍ରବ୍ୟ ଗ୍ରହଣ କରୁ ନାହାନ୍ତି। ୧୦ ହଜାର ଜନସଂଖ୍ୟା ବିଶିଷ୍ଟ ମିରାଗପୁର ଗ୍ରାମବାସୀ ଧୂମପାନ କରୁ ନ ଥିବା ଗାଁର ତାଲିକାରେ ରହିଛନ୍ତି।
କୁହାଯାଏ ଯେ, ପ୍ରାୟ ୫୦୦ ବର୍ଷ ପୂର୍ବେ ବାବା ଗୁରୁ ଫାକିରା ଦାସ ଏହି ଗାଁକୁ ଆସିଥିଲେ। ସେ ଗାଁର ଲୋକଙ୍କୁ କହିଥିଲେ, ଯଦି ସେ ନିଶା ଏବଂ ଅନ୍ୟାନ୍ୟ ପ୍ରତିଶୋଧପରାୟଣ ପଦାର୍ଥ ତ୍ୟାଗ କରନ୍ତି, ତେବେ ଗାଁ ଖୁସି ଏବଂ ସମୃଦ୍ଧ ହେବ। ୧୭ ତମ ଶତାବ୍ଦୀରୁ ଏଠାକାର ଲୋକମାନେ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି।
ଏ ନେଇ କିଛି ଯୁବକ ମଧ୍ୟ ବିଶେଷ ଅବଦାନ ରହିଛି। ଗାଁର ଲୋକମାନେ ଏହାକୁ ବାବାଙ୍କ ଆଶୀର୍ବାଦ ବୋଲି ବିବେଚନା କରନ୍ତି। ଗାଁର ଲୋକମାନେ କହିଛନ୍ତି, ଇଣ୍ଡିଆ ବୁକ ଅଫ ରେକର୍ଡରେ ଗାଁର ନାମ ପଞ୍ଜୀକରଣ କରିବା ଏକ ବଡ଼ ସଫଳତା।
ଏଠାରେ ବାବା ଗୁରୁଙ୍କ ସମାଧି ଅଛି ଏବଂ ତାଙ୍କ ସ୍ମୃତିରେ ଏକ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଗ୍ରାମବାସୀ ସମ୍ପର୍କୀୟମାନଙ୍କୁ ନିଜ ଘରକୁ ଡାକନ୍ତି। ଏହି ଦିନ ସମସ୍ତ ଖାଦ୍ୟ ଦେଶୀ ଘିଅରେ ତିଆରି ହୋଇଥାଏ।
ଯେତେବେଳେ ଇଣ୍ଡିଆ ବୁକ ଅଫ ରେକର୍ଡରେ ଗାଁର ନାମ ରେକର୍ଡ କରାଯାଇଥିଲା ଗାଁ ଲୋକଙ୍କ ଖୁସି ଦ୍ୱିଗୁଣିତ ହୋଇଥିଲା। ଗାଁରେ ଲୋକଙ୍କ ଡ୍ରଗ୍ସମୁକ୍ତ ପ୍ରମାଣପତ୍ର ମଧ୍ୟ ରହିଛି। ଗାଁର ଯୁବକମାନେ କହିଛନ୍ତି ଯେ, ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। |
https://www.dharitri.com/ongress-suspend-two-mla/ | ପାଇଲଟଙ୍କୁ ଝଟକା: ଦଳରୁ ବିଦା ହେଲେ ୨ ବିଦ୍ରୋହୀ ବିଧାୟକ
ଜୟପୁର,୧୭।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା ହାଇ ଭୋଲଟେଜ୍ ଡ୍ରାମା ମଧ୍ୟରେ କଂଗ୍ରେସ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶୁକ୍ରବାର କଂଗ୍ରେସର ୨ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଧାୟକ ଭଂଓ୍ବରଲାଲ ଶର୍ମା ଓ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏହି ଦୁଇ ବିଧାୟକଙ୍କ ବିରୋଧରେ ଭାଜପା ସହ ବୁଝାମଣା କରି ଗେହଲଟ ସରକାର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। |
https://www.dharitri.com/turkey-raised-kashmir-issue-in-un/ | ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ…
ନ୍ୟୁୟର୍କ,୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କାଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ସାଧାରଣ ସଭାର ୭୮ତମ ଅଧିବେଶନରେ ସେ ଦେଇଥିବା ଅଭିଭାଷଣରେ ପୁଣିଥରେ ପାକିସ୍ତାନ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରି କଶ୍ମୀର ଉପରେ ଅନେକ କଥା କହିଛନ୍ତି। କେବଳ ଏତିକି ନୁହେଁ ସେ ମିଳିତ ଜାତିସଂଘର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।
ମିଳିତ ଜାତିସଂଘରେ ସାଧାରଣ ଆଲୋଚନା ସମୟରେ ପାକିସ୍ତାନର ଏଜେଣ୍ଡାକୁ ତୁର୍କୀ ରାଷ୍ଟ୍ରପତି କହିଛନ୍ତି, କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଏବଂ ସହଯୋଗ କଶ୍ମୀରରେ ଚିରସ୍ଥାୟୀ ଏବଂ ନ୍ୟାୟ ଆଣିପାରିବ। ଏହାଦ୍ୱାରା ଦକ୍ଷିଣ ଏସିଆରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ଆସିବ। ତେବେ ଏନେଇ ବାଟ ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିବାଦର ସମାଧାନ ପାଇଁ ତୁର୍କୀ ସମର୍ଥନ ଜାରି ରଖିବ ବୋଲି ସେ କହିଛନ୍ତି।
ଏଥିସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ପ୍ରମୁଖ ପରିବର୍ତ୍ତନ ଆଣିବାକୁ ସେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ୟୁଏନଏସସିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏହା ଗର୍ବର ବିଷୟ। ଏହି ସମୟରେ, ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ଟାର୍ଗେଟ କରି କହିଛନ୍ତି ୟୁଏନଏସସିର ୧୫ ଜଣ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯାଉ ବୋଲି ସେ ଚାହୁଁଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦର ଏହି ୨୦ ଟି ଦେଶ ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଏବଂ ୧୫ ଅଣ-ସ୍ଥାୟୀ ସଦସ୍ୟଙ୍କୁ ସ୍ଥାୟୀ ସଦସ୍ୟତା ଦିଆଯିବା ଉଚିତ। କାରଣ ଏହି ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ଅପେକ୍ଷା ବିଶ୍ୱ ବଡ଼। ଆମର ଏକମାତ୍ର କଥା ହେଉଛି ବିଶ୍ୱ କେବଳ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଚାଇନା ଏବଂ ରୁଷିଆରେ ସୀମିତ ନୁହେଁ।
ଏହାପୂର୍ବରୁ ୨୦୨୦ ରେ ମଧ୍ୟ ସେ ସାଧାରଣ ସଭାରେ ଆଲୋଚନା ସମୟରେ କଶ୍ମୀର ବିଷୟରେ କହିଥିଲେ। |
https://www.dharitri.com/ଦରକାର-ବେଳେ-ଖୋଜା-ପରେ-ଅଲୋଡ଼/ | ଦରକାର ବେଳେ ଖୋଜା, ପରେ ଅଲୋଡ଼ା
ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ। ବୈତରଣୀ ଅବବାହିକାରେ ଥିବା ନଈନାଳ ଘେରା ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟା ବିପର୍ଯ୍ୟୟ ଦାଉ ସାଧୁଛି। ଅନେକ ଗଁାଗଣ୍ଡା ବନ୍ୟା ପାଣିଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଏହି ସମୟରେ ବିପନ୍ନମାନଙ୍କ ନିକଟରେ ରିଲିଫ୍ ପହଞ୍ଚାଇବା ଏବଂ ସେମାନଙ୍କୁ ଉଦ୍ଧାର କରିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ ହୋଇଯାଏ। ନଦୀ ଅବବାହିକା ଅଞ୍ଚଳରେ ବନ୍ୟାପାଣି ଘେରି ରହିଥିବାରୁ ଅନେକ ଜାଗାରେ ପହଞ୍ଚିବା ସମ୍ଭବ ହୁଏ ନାହିଁ। ଏପରିସ୍ଥଳେ ବୋଟ୍ ଏକମାତ୍ର ମାଧ୍ୟମ। ବର୍ଷାଦିନ ଓ ବନ୍ୟା ସମୟ ଆସିଲେ ଖୋଜାପଡ଼େ ବୋଟ୍। ହେଲେ ପରେ ଏହା ଅଲୋଡ଼ା। ଯାହାର ବାସ୍ତବ ଚିତ୍ର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି।
ବ୍ଲକ କାର୍ଯ୍ୟାଳୟ ପରିସରର ପଛପଟେ ଦୁଇଟି ଯନ୍ତ୍ରଚାଳିତ ବୋଟ୍ ଖରା, ବର୍ଷା, କାକର ଖାଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ଓ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ୍ ପହଞ୍ଚାଇବା ଭଳି କାର୍ଯ୍ୟରେ ସହାୟକ ହେଉଥିବା ବୋଟ୍ ଦ୍ୱୟ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ଏଥିପ୍ରତି କାହାରି ନିଘା ନାହିଁ। ବନ୍ୟା ବେଳେ ଖୋଜା ପଡୁଥିବା ବୋଟ୍ ଦ୍ୱୟ ପରେ ଅଦରକାରୀ ହୋଇ ପଡ଼ିଛି। ଉଲ୍ଲେଖନୀୟ ଯେ, ଏହି ଦୁଇଟି ବୋଟ୍ ସ୍ପେଶାଲ ରିଲିଫ୍ କମିଶନଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ଅଞ୍ଚଳ ଲାଗି ଯୋଗାଇ ଦିଆଯାଇଥିଲା। ବୈତରଣୀ ଓ ଗେଙ୍ଗୁଟି ନଦୀରେ ବନ୍ୟା ସମୟରେ ଏହାକୁ ବ୍ୟବହାର କରାଯାଉଥିଲା। ଦୁଇଟି ବୋଟ୍ ଚଳାଇବା ପାଇଁ ଦୁଇଜଣ ଖଲାସି ରହିଛନ୍ତି। ନଦୀରେ ବନ୍ୟା କମିଯିବା ପରେ ଏହାକୁ ଅଣାଯାଇ ବ୍ଲକ ପରିସର ପଛପଟେ ପକାଯାଇ ରଖାଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଯନ୍ତ୍ରଚାଳିତ ଦୁଇ ବୋଟ୍ର ମଟର କଢ଼ାଯାଇ ରଖାଯାଇଥିବା ବେଳେ ବୋଟ୍ଗୁଡ଼ିକ ପଡ଼ିରହିଛି। ଏପରି କି ପ୍ରତ୍ୟେକ ବର୍ଷ ରଙ୍ଗ ଟିକେ ମଧ୍ୟ ଦିଆଯାଉନାହିଁ। ବୋଟ୍ଗୁଡ଼ିକର ରକ୍ଷଣାବେକ୍ଷଣ କରା ନ ଗଲେ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ବିଡିଓ ବନମାଳୀ ତରାଇଙ୍କୁ ପଚାରିବାରୁ କହିଛନ୍ତି, ପଦାରେ ପଡ଼ିଥିବା ବୋଟ୍କୁ ରଖିବା ଲାଗି ସେଭଳି ଘର କି ଜାଗା ନାହିଁ। ବୋଟ୍ର ମଟର ଦୁଇଟି ସୁରକ୍ଷିତ ଅବସ୍ଥାରେ ଅଫିସରେ ରହିଛି। |
https://www.dharitri.com/odisha-new-corona-death-in-state/ | ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୪ ଜଣଙ୍କ ଜୀବନ ଯାଇଛି
ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧାରୁ କେବଳ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀରୁ ୩, ମୟୂରଭଞ୍ଜରୁ ୨ ଏବଂ କୋରାପୁଟ, କଳାହାଣ୍ଡି, କଟକ ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ରେ ପହଞ୍ଚିଥିବା ବେଳେ ୧,୦୮,୦୦୧ ଜଣ ସୁସ୍ଥ ହୋଇଛନ୍ତି। ୩,୪,୪୫୮ ଜଣ ଚିକିତ୍ସିତ ହେଉଛନ୍ତି। ୬୦୫ ଜଣଙ୍କ ମୃତ୍ୟୁ ଘଟିଛି। |
https://www.dharitri.com/quake-killed-at-least-42-people-in-indonesia/ | ଇଣ୍ଡୋନେସିଆ ଭୂକମ୍ପରେ ୪୨ ମୃତ
ମାମୁଜୁ, ୧୬।୧: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଗୁରୁବାର ବିଳମ୍ବିତ ରାତ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ କୋଠା ଭୁଶୁଡ଼ିବା ସହ ୪୨ ଜଣ ପ୍ରାଣ ହରାଇଛନ୍ତି ଓ ୮୨୦ରୁ ଅଧିକ ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ ତଳେ ଅନେକ ଲୋକ ରହିଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ୬.୨ ଥିଲା। ରାତିର ଅନ୍ଧକାର ସତ୍ତ୍ୱେ ଭୟରେ ଲୋକେ ଘର ଛଡ଼ି ପଳାଇଯାଇଥିଲେ। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ କର୍ତ୍ତୃପକ୍ଷ ମୃତାହତ ଓ କ୍ଷୟକ୍ଷତି ସମ୍ପର୍କିତ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଭୂକମ୍ପରେ ଏକ ହସ୍ପିଟାଲ ଭାଙ୍ଗିଯାଇଥିବାବେଳେ ରୋଗୀମାନଙ୍କୁ ଅସ୍ଥାୟୀ ତମ୍ବୁରେ ରଖାଯାଇଛି। ସେହିପରି ୧୫ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଥଇଥାନ କରାଯାଇଛି। ପଶ୍ଚିମ ସୁଲୋଓ୍ବେସି ପ୍ରଦେଶର ମାଜେନେ ସହରର ୩ କି.ମି. ଉତ୍ତରପୂର୍ବରେ ଓ ୧୦ କି.ମି. ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପ ପରେ ଉକ୍ତ ଅଞ୍ଚଳରେ ୨୮ ଥର ପଶ୍ଚାତ୍ କମ୍ପନ ଅନୁଭୂତ ହୋଇଛି। ୪୨ ମୃତକଙ୍କ ମଧ୍ୟରୁ ଅଧିକାଂଶ ମାମୁଜୁର ହୋଇଥିବାବେଳେ ମାଜେନେ ଜିଲାରେ ମଧ୍ୟ କେତେଜଣଙ୍କ ମୃତ୍ୟୁ ଘଟିଛି। ଭୂକମ୍ପ ଫଳରେ ୩ଟି ସ୍ଥାନରେ ଭୂସ୍ଖଳନ ଘଟିଛି। ବିଦ୍ୟୁତ ଯୋଗାଣ ବ୍ୟାହତ ହେବା ସହ କେତେକ ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଲାଗିରହିଥିବାରୁ ବାସହରା ଲୋକଙ୍କ ଦୁଃଖ ବଢ଼ାଇଦେଇଛି। ତେବେ ସୁନାମୀ ସତର୍କ ସୂଚନା ଜାରି କରାଯାଇନାହିଁ। ପଶ୍ଚାତ କମ୍ପନ ଜାରି ରହିଥିବାରୁ ସୁନାମୀ ଆସିବା ଭୟରେ ଲୋକେ ମାମୁଜୁ ଛାଡ଼ି ପାର୍ବତ୍ୟାଞ୍ଚଳକୁ ପଳାଇଯାଇଛନ୍ତି। |
https://www.dharitri.com/air-india-new-menu-list-festivals-in-domestic-flights/ | ଘରୋଇ ବିମାନ ପାଇଁ ଏୟାର ଇଣ୍ଡିଆ ଜାରି କଲା ନୂଆ ମେନୁ
ନୂଆଦିଲ୍ଲୀ,୪।୧୦: ବର୍ତ୍ତମାନ ଭାରତରେ ପର୍ବର ମାହୋଲ ରହିଛି। ଏହାକୁ ନେଇ ଟାଟାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି। ଏୟାରଲାଇନ୍ସ ନିଜର ସମସ୍ତ ଘରୋଇ ବିମାନ ପାଇଁ ନୂତନ ଖାଦ୍ୟର ଏକ ତାଲିକା ପ୍ରକାଶ କରିଛି। ଏହି ନୂତନ ଖାଦ୍ୟ ଅକ୍ଟୋବର ୧ରୁ ଯାତ୍ରୀମାନଙ୍କୁ ମିଳିବ। ଏୟାର ଇଣ୍ଡିଆର ଘରୋଇ ବିମାନରେ କେବଳ ବିଶ୍ୱସ୍ତରୀୟ ମେନୁ ଦିଆଯାଉ ନାହିଁ, ବରଂ ସୁସ୍ଥ ଏବଂ ସ୍ବାଦିଷ୍ଟ ଭାରତୀୟ ରୋଷେଇ ମଧ୍ୟ ପରିବେଷଣ କରାଯାଉଛି। ଯାତ୍ରୀମାନଙ୍କୁ ଏହି ସୁବିଧା ପାଇବା ପାଇଁ ଟିକେଟ ବୁକ କରିବା ସମୟରେ ନିଜ ପସନ୍ଦର ଖାଦ୍ୟ ବାଛିବାକୁ ପଡିବ। ମିଠା ସହିତ ଏହି ନୂତନ ମେନୁରେ ପାନୀୟ, ଫଳ ରସ ମଧ୍ୟ ଉପଲବ୍ଧ ହେବ। ବ୍ୟବସାୟ ଶ୍ରେଣୀର ଯାତ୍ରୀମାନଙ୍କୁ ଲହୁଣୀଯୁକ୍ତ ପଫକର୍ନ, ଚିନିମୁକ୍ତ ଡାର୍କ ଚକୋଲେଟ, ଓଟମିଲ ମଫିନ ଏବଂ କ୍ରିମ ମିଶା ଚିକେନ ସସ୍ ବି ମିଳିବ। ଏତଦ୍ବ୍ୟତୀତ ଯାତ୍ରୀମାନେ ବ୍ୟବସାୟ ଶ୍ରେଣୀରେ ବିଭିନ୍ନ ଭାରତୀୟ ରୋଷେଇକୁ ମଧ୍ୟ ଉପଭୋଗ କରିପାରିବେ। ସେହିପରି ଅର୍ଥନୀତି ଶ୍ରେଣୀର ଯାତ୍ରୀମାନଙ୍କ ପାଇଁ ଅନେକ ସୁସ୍ବାଦୁ ଏବଂ ପୁଷ୍ଟିକର ବିକଳ୍ପ ଉପଲବ୍ଧ ହେବ। ଏନେଇ ମଙ୍ଗଳବାର ଏୟାର ଇଣ୍ଡିଆର ଇନଫ୍ଲାଇଟ ସର୍ଭିସର ମୁଖ୍ୟ ସନ୍ଦୀପ ବର୍ମା କହିଛନ୍ତି। |
https://www.dharitri.com/ଅକ୍ଟୋବରରେ-୩୫୦-ଥର-ଅସ୍ତ୍ରବ/ | ଅକ୍ଟୋବରରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ
ଦିଲ୍ଲୀ,୧୨ା୧୧(ଆଇଏଏନ୍ଏସ୍)- ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଅକ୍ଟୋବର ମାସରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ୨୦୧୯ ବର୍ଷରେ ଏହା ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ନଭେମ୍ବର ମାସର ପ୍ରଥମ ୧୧ ଦିନରେ ପାକ୍ ଯବାନମାନେ ୯୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲେଣି। ଏହା ପୂର୍ବରୁ ଅଗଷ୍ଟ ମାସରେ ଅସ୍ତ୍ରବିରତି ଉଲ୍ଲଂଘନ ୩୦୦ ଅତିକ୍ରମ କରିଥିଲା। |
https://www.dharitri.com/ନଦୀରେ-ଓଲଟିଲା-ଡଙ୍ଗା୭-ମୃତ-୨/ | ନଦୀରେ ଓଲଟିଲା ଡଙ୍ଗା:୭ ମୃତ, ୨୦ ନିଖୋଜ
ପାଟନା,୪।୧୦:ବିହାରର କଟିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ମହାନନ୍ଦା ନଦୀରେ ଏକ ଡଙ୍ଗା ବୁଡି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ବୋଲି ଜଣାପଡିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଡଙ୍ଗାରେ ବସିଥିବା ଲୋକ ପଶ୍ଚିମବଙ୍ଗର ମାଳଦାରୁ ବିହାରର କଟିହାର ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। |
https://www.dharitri.com/ଅପହରଣକାରୀଙ୍କୁ-୫-ବର୍ଷ-ସଶ୍/ | ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ
କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ ଜଣେ ଯୁବକଙ୍କୁ ୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ।
ନନ୍ଦନଙ୍କ ଘର ତୁରୁମୁଙ୍ଗା ଥାନା କଇଣ୍ଡା ଗ୍ରାମରେ । ଘଟଣା ବେଳେ ସେ ଟାଉନ ଥାନା ମାଧପୁରରେ ରହୁଥିଲେ । ଉକ୍ତ ଅପହରଣ ଘଟଣା ଟାଉନ ଥାନା ଅଞ୍ଚଳରେ ଘଟିଥିଲା ା ମକଦ୍ଦମା ବିବରଣୀ ଅନୁଯାୟୀ ଗତ ୨୦୧୨ ଜାନୁୟାରୀ ୧୮ ତାରିଖରେ ଜଣେ ଯୁବତୀଙ୍କୁ ଅପହରଣ କରି ନିଆଯିବା ଘଟଣା ନେଇ ତାଙ୍କ କକା ୨୦ ତାରିଖରେ ଟାଉନ ଥାନାରେ ଏତଲା ଦେଇଥିଲେ ା ପରେ ଟାଉନ ଥାନା ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ନନ୍ଦନଙ୍କ ବିରୋଧରେ ଅପହରଣ ମାମଲା (ନଂ. ୨୦/୨୦୧୨) ରୁଜୁ କରି ତାଙ୍କୁ ଗିରଫ କରିଥିଲା । କେନ୍ଦୁଝର ସିଜେଏମ ତୀରଞ୍ଜନ ପାତ୍ର ୭ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତିକରି ମାମଲାର ଶୁଣାଣିକରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ସରକାରୀ ଓକିଲ ଅଶୋକ କୁମାର ଦାସ କହିଛନ୍ତି ା |
https://www.dharitri.com/industrial-minister-hints-that-make-in-odisha-name-will-change/ | ବଦଳିବ ମେକ ଇନ ଓଡ଼ିଶା ନାଁ! ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୨୮।୬: ବଦଳିପାରେ ମେକ ଇନ ଓଡ଼ିଶା ନାଁ । ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଇସାରା ଦେଇଛନ୍ତି । ମେକ ଇନ ଓଡ଼ିଶା ଜାଗାରେ ଉତ୍କଳ ଇନଭେଷ୍ଟ ସମିଟ ହୋଇପାରେ ବୋଲି ଜଣାପଡିଛି। ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ ଏବଂ ଶିଳ୍ପକ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ । ଏନେଇ ପ୍ରସ୍ତୁତ ଚାଲିଛି । ତେବେ ଖୁବଶୀଘ୍ର ସରକାର ଘୋଷଣା କରିବେ ବୋଲି ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି। |
https://www.dharitri.com/veteran-ghanashyam-mohapatra-to-get-jaydev-award/ | ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର, ଶ୍ରେଷ୍ଠ ଅଭିନେତା ସରୋଜ
ଭୁବନେଶ୍ୱର, ୫।୧୧(ବ୍ୟୁରୋ): ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ ପଣ୍ଡା ମୋହନ ସୁନ୍ଦର ଗୋସ୍ବାମୀ ପୁରସ୍କାର ପାଇବେ। ତାଙ୍କ ଫିଲ୍ମ ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ନୀଳମାଧବ ପଣ୍ଡାଙ୍କୁ ‘କାଲିର ଅତୀତ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମଧ୍ୟ ପୁରସ୍କୃତ କରାଯିବ। ସେହିପରି ଚଳଚ୍ଚିତ୍ର ‘ଖୁସି’ରେ ପାଇଁ ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଏବଂ କାବ୍ୟା କିରଣ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି।
ଶ୍ରେଷ୍ଠ କାହାଣୀ ପାଇଁ ସ୍ବର୍ଗତ କପିଳେଶ୍ୱର ପ୍ରସାଦ ମହାପାତ୍ର ଫିଲ୍ମ ଶଳାବୁଢ଼ାର ବଦଲା ଲାଗି ପୁରସ୍କୃତ ହେବେ। ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ବୈଦ୍ୟନାଥ ଦାସ ବାଳକୃଷ୍ଣ ସମ୍ମାନ ପାଇବେ। ‘ନାୟକର ନାଁ ଦେବଦାସ’ ଫିଲ୍ମ ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ବୟମ ପାଢ଼ୀ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢ଼ୀ, ଶ୍ରେଷ୍ଠ ଚିତ୍ରଗ୍ରହଣ ଭାବେ ରବୀନ୍ଦ୍ର ବେହେରା ଓ ଶ୍ରେଷ୍ଠ ସମ୍ପାଦନା ଭାବେ ରାଜେଶ ଦାସ ମନୋନୀତ ହୋଇଛନ୍ତି।
ଅରୁଣ ମନ୍ତ୍ରୀ ଶ୍ରେଷ୍ଠ ଗୀତିକାର ଓ ସନ୍ତୋଷ ନାରାୟଣ ଦାଶ ଶ୍ରେଷ୍ଠ ଚିତ୍ରନାଟ୍ୟ, ଫିଲ୍ମ ‘ବାବୁ ଭାଇଜାନ’ ପାଇଁ ବବି ମିଶ୍ରଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ‘ବାପା ତୁମେ ଭାରି ଦୁଷ୍ଟ’ ପାଇଁ ଅଞ୍ଜନା ଦାଶଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଓ ‘ଖୁସି’ ପାଇଁ ଐଶ୍ୱର୍ଯ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।
ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ କଳିଙ୍ଗ କେଶରୀ ନାୟକ, ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଭାବେ ଚନ୍ଦ୍ରଶେଖର ଶର୍ମା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଫିଲ୍ମ ‘କୋଟିଏରେ ଗୋଟିଏ ମନ’ ଫିଲ୍ମ ପାଇଁ ଅଭିନେତା ରୋହିତ ରାଜ ସ୍ବତନ୍ତ୍ର ଜୁରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ‘ବାଜି’ ପାଇଁ ସୁବ୍ରତ କୁମାର ରଥ ଓ ‘ଫ୍ରମ ସଞ୍ଜୁ’ ପାଇଁ ଅଭିଷେକ କୁମାର ଦାସଙ୍କୁ ପୁରସ୍କୃତ କରାଯିବ।
ସେହିପରି ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ପାଇଁ ମଧ୍ୟ ତାଲିକା ଘୋଷଣା କରାଯାଇଛି। ‘କାଳିଆ କରୁଛି ଲୀଳା’କୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର ମିଳିବ। ସେହିପରି ଶ୍ରେଷ୍ଠ ଟେଲି ସିରିଏଲ ଭାବେ ସରଗମ, ଶ୍ରେଷ୍ଠ ଟେଲି ଅଭିନେତା ଭାବେ ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଭାବୋ ଲିପ୍ପା ମିଶ୍ର ମନୋନୀତ ହୋଇଛନ୍ତି। |
https://www.dharitri.com/petition-to-the-president-against-the-unjust-treatment-of-manipur-and-indian-christians/ | ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର
କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ୍ଦିର ଓ ସହର ମଧ୍ୟ ଦେଇ ଜାତୀୟ ରାଜପଥ ପରିକ୍ରମା କରି କୋରାପୁଟ ଜିଲା କାର୍ଯ୍ୟାଳୟଠାରେ ପହଞ୍ଚି ଏକ ସ୍ମାରକପତ୍ର ରାଷ୍ଟ୍ରପତି ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ରରେ ମଣିପୁରରେ ତାଡିତ ଓ ଦୁଃଖିତ ପରିବାର ସହିତ ସଦ୍ଭାବନା ଓ ସଂହତି ପ୍ରଦର୍ଶନ ପୂର୍ବକ ଠିଆ ହୋଇ ସେମାନଙ୍କର ସୁରକ୍ଷା ଓ ପୁନଃ ବସତି ଓ ପୁନଃ ମିଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ପୁଣି ଭାରତର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଘଟୁଥିବା ଅନ୍ୟାନ୍ୟ ତଥା ଉପାସନା ଗୃହର ଭଙ୍ଗାରୁଜା ଧର୍ମାନ୍ତରୀକରଣ ଆଇନ ଅପବ୍ୟବହାର ବିରୋଧରେ ଓ ସଂଖ୍ୟା ଲଘୁ କମିଶନ ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ଏହି ଶୋଭାଯାତ୍ରାକୁ କୋରାପୁଟିଆ ପାଳକ ସମ୍ମିଳନୀର ଚେୟାରମ୍ୟାନ୍ ଖ୍ରୀଷ୍ଟଦାନ ଟାକ୍ରି, ଉପସଭାପତି ଦାନିୟେଲ ଖରା, ସାଧାରଣ ସମ୍ପାଦକ ହେମ ପ୍ରସାଦ ଦାସ ଏବଂ ଜଇଲୁମ ବିଷୋପ, ବିଧାନ ନାୟକ ଏବଂ ବିଭିନ୍ନ ମଣ୍ଡଳୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ସମ୍ମିଳନୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ଯେ, ଖ୍ରୀଷ୍ଟିଆନମାନଙ୍କ ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିକାଶ ଓ ମଙ୍ଗଳ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ ଓ ସଂଖ୍ୟାଲଘୁ କମିଶନ ବା ସ୍ଥାୟୀ ସଂଖ୍ୟାଲଘୁ କମିଶନ ଶୀଘ୍ର ଗଠନ କରି ଏହି ସମାଜର ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ମୁସଲମାନ,ବୌଦ୍ଧ, ଶିଖ୍, ଜୈନମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଦଳିତ ଖ୍ରୀଷ୍ଟିଆନମାନଙ୍କର ପୁନରୁଦ୍ଧାର ଏବଂ ନୂତନ ବିକାଶ ଯୋଜନା ଓ ବ୍ୟବସ୍ଥା ଲାଗୁ କରିବେ। ଏହି କାର୍ଯ୍ୟକ୍ରମରେ ଏମ୍ପି ସପ୍ତଗିରି ଉଲାକା, କୋରାପୁଟ କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ,ବରିଷ୍ଠ କଂଗ୍ରେସ ନେତା ବାବୁଲା, ନମିତା ମାଝିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲାରୁ ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। |
https://www.dharitri.com/manmohans-campaign/ | ମନମୋହନଙ୍କ ପ୍ରଚାରରେ ନେତା, ଅଭିନେତା
ଚାନ୍ଦବାଲି,୨୫।୫ (କିଷାନ ପାତ୍ର): ନିର୍ବାଚନ ଯେତିକି ପାଖେଇ ଆସୁଛି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ସେତିକି ସରଗରମ ହେଉଛି। ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଭାଜପାର ବିଧାୟକ ପ୍ରାର୍ଥୀ ମନମୋହନ ସାମଲଙ୍କ ପ୍ରଚାରରେ ନେତା ଓ ଅଭିନେତା ସାମିଲ ହୋଇଥିଲେ। ଖେରଙ୍ଗ ବଜାରଠାରେ ଆୟୋଜିତ ବିଶାଳ ବାଇକ୍ ଶୋଭାଯାତ୍ରାରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିନେତା ତଥା ଦଳୀୟ ନେତା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ମନମୋହନଙ୍କ ପାଇଁ ପ୍ରଚାର କରିଛନ୍ତି।
ଖୋଲା ଜିପ୍ରେ ଖେରଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରୁ ବାହାରି ଖେରଙ୍ଗ, ଘଟପୁର ଓ ମାଧପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ସିଦ୍ଧାନ୍ତଙ୍କୁ ଦେଖିବା ପାଇଁ ରାସ୍ତାରେ ଭିଡ଼ ଜମିଥିବା ବେଳେ କିଛି ଜାଗାରେ ଲୋକେ ଗାଡ଼ି ଅଟକାଇ ସେଲ୍ଫି ମଧ୍ୟ ନେଇଥିଲେ। ଏଥର ଓଡ଼ିଶାରେ ସାଧାରଣ ଲୋକ ନିର୍ବାଚନ ଲଢ଼ୁଛନ୍ତି।
ଓଡ଼ିଶାର ଲୋକ ସ୍ବାଭିମାନୀ। ଏଥର ଦୁଇଟି ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିକାଶର ଗାଡ଼ିକୁ ଓଡ଼ିଶାରେ ଦ୍ରୁତଗତିରେ ଆଗେଇ ନେବେ ବୋଲି ସମୀର କହିଥିଲେ। ଭାଜପାର ଭଦ୍ରକ ଲୋକ ସଭା ପ୍ରଚାର କମିଟି ଅଧ୍ୟକ୍ଷ ଅଜୟ କୁମାର ନାୟକ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ଉପେନ୍ଦ୍ର ରାଉଳ, ପ୍ରଭାସ ଶୁଭଦର୍ଶନ ମହାନ୍ତି, ପ୍ରଶାନ୍ତ ମାଝୀ, ମୀନକେତନ ବିଶ୍ୱାଳ, ରବୀନ୍ଦ୍ର ଦାସ, ପ୍ରତାପ ରାୟ, ବିଜୟ ପାଢ଼ୀ, ସ୍ମୃତିରଞ୍ଜନ ନାୟକ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ। |
https://www.dharitri.com/the-actor-was-shocked-by-the-decision-to-disappear/ | ଗାଏବ ହେବାକୁ ନିଷ୍ପତ୍ତି ନେଇ ଚମକାଇଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର କିଛି ନା କିଛି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ସେ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦିଅନ୍ତି। କିନ୍ତୁ ଏସବୁଠାରୁ ଏବେ ଦୂରେଇ ଯିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଡିଜିଟାଲ ଡିଟକ୍ସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ରଣବୀର ଗାଏବ ହେବାର ସମୟ ଆସିଛି ବୋଲି ତାଙ୍କ ଇନଷ୍ଟାଗ୍ରାମରେ ସେ କହିଛନ୍ତି। ଏଭଳି କଥା ସମସ୍ତଙ୍କୁ ଚକିତ କରିଛି।
ଅର୍ଜୁନ କପୁର ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଏକ ଭିଲେନ୍ ରିଟର୍ଣ୍ଣ’ର ଶୁଟିଂରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମକୁ ମୋହିତ ସୁରି ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅର୍ଜୁନ କପୁର ମୁଖ୍ୟ ଚରିତ୍ରରେ ନଜର ଆସିବେ। |
https://www.dharitri.com/ଡେବ୍ରିଗଡ଼-ଅଭୟାରଣ୍ୟରେ-ହାତ/ | ଡେବ୍ରିଗଡ଼ ଅଭୟାରଣ୍ୟରେ ହାତୀପଲ: ଆଶ୍ୱସ୍ତ ହେଲେ ଚାଷୀ
ଭଟ୍ଲି, ୨୮।୧୦(ଡି.ଏନ୍.ଏ.): ବିଗତ ୩ ଦିନ ହେବ ହାତୀଙ୍କୁ ନେଇ ଭୟରେ ଥିବା ବରଗଡ଼ ଜିଲାର ଚାଷୀମାନେ ରବିବାରଠାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି। ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଭଟ୍ଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲ ଅଭିମୁଖେ ଚାଲିଆସିଥିବା ୨ଟି ବଣୁଆ ହାତୀ ଧାନ ଫସଲ ନଷ୍ଟ କରିଦେଇଥିଲେ। ଏଥିପାଇଁ ଚାଷୀମାନେ ଚିନ୍ତାରେ ଥିଲେ । ମାତ୍ର ବନବିଭାଗ ଉଦ୍ୟମରେ ଏହି ହାତୀ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟକୁ ପଶିଯାଇଛନ୍ତି। ସେମାନେ ଯେପରି ପୁଣି ଅଭୟାରଣ୍ୟରୁ ବାହାରି ନ ଆସିବେ ସେଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ ବନବିଭାଗକୁ ଅନୁରୋଧ କରିଛନ୍ତି। ଏହି ହାତୀପଲ ପୂର୍ବରୁ ବାରପାହାଡ଼ ଜଙ୍ଗଲରେ ଥିଲେ, ମାତ୍ର ଗତବର୍ଷ ସେମାନେ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିଲେ। ତେବେ ବର୍ଷେ ପରେ ପୁଣି ଫେରିଥିବାରୁ ଏବଂ ବର୍ତ୍ତମାନ ଧାନ ପାକଳ ସମୟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। |
https://www.dharitri.com/corona-vaccinates-dream-girl/ | କରୋନା ଟିକା ନେଲେ ‘ଡ୍ରିମ୍ଗର୍ଲ’, ଫଟୋ ଭାଇରାଲ
ମୁମ୍ବାଇ,୬।୩: ବଲିଉଡ୍ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।
ଟିକା ନେବା ପରେ ହେମାମାଳିନୀ ସୋସିଆଲ ମିଡିଆରେ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ମୁଁ କୁପର ହସ୍ପିଟାଲରେ ସାର୍ବଜନିକ ସ୍ଥଳରେ ସାଧାରଣ ଲୋକଙ୍କ ମଧ୍ୟରେ ଟିକା ନେଇଛି। ହେମା ଏମିତି କହି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି।
ହେମା ଶେୟାର କରିଥିବା ୩ଟି ଫଟୋ ମଧ୍ୟରୁ ଗୋଟିଏରେ ସେ ଏକ ଚେୟାର ଉପରେ ବସିଛନ୍ତି ଏବଂ ଜଣେ ନର୍ସ ତାଙ୍କୁ ଟିକା ଦେଉଛନ୍ତି। ଆଉ ଦୁଇଟି ଫଟୋ ମଧ୍ୟରୁ ଗୋଟିଏରେ ସେ ପୋଷ୍ଟର ସାମ୍ନାରେ ଠିଆ ହୋଇ ଥମ୍ବସ ଅପ୍ର ସାଇନ ଦେଖାଇଛନ୍ତି। ପୋଷ୍ଟରେ ଲେଖାହୋଇଛି ମୁଁ ଟିକା ଲଗାଇଲି। କ’ଣ ଆପଣ ଲଗାଇବେ?
କହିରଖୁଛୁ, ହେମାଙ୍କ ପୂର୍ବରୁ ସୈଫ୍ ଅଲ୍ଲୀ ଖାନ୍, ସତୀଶ ଶାହା, ଶିଳ୍ପା ଶିରୋଡକର ଏବଂ ରାକେଶ ରୋଶନ କରୋନା ଟିକା ନେଇସାରିଛନ୍ତି। ସେହିପରି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରକୁଲପ୍ରୀତ୍, ନୀତ କପୁର, ବରୁଣ ଧାଓ୍ବନଙ୍କ ପରି ଅନେକ ବଲିଉଡ୍ ତାରକା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ବି ହୋଇଛନ୍ତି। |
https://www.dharitri.com/ଅଗଷ୍ଟରେ-ଫାଓ-ସେପ୍ଟେମ୍ବରର/ | ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା
କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ । ରାଜ୍ୟର ସବୁଠାରୁ ଶକ୍ତିଶାଳୀ କ୍ରୀଡ଼ା ସଂଘ ଓସିଏର ମୁଖିଆ କିଏ ହେବ ତାହାକୁ ନେଇ ଏବେ ଚାଲିଛି ଅଙ୍କକଷା। ଏକଦା ରାଜ୍ୟ କ୍ରିକେଟର ସର୍ବେସର୍ବା ବିବେଚିତ ହେଉଥିବା ଆଶୀର୍ବାଦ ବେହେରା ଏବେ ଓସିଏର କୌଣସି ପଦବୀରେ ନଥିଲେ ମଧ୍ୟ ଆସୋସିଏଶନ ଗଠନ କରିବାରେ ତାଙ୍କ ଭୂମିକା ହିଁ ସବୁଠାରୁ ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି । ଆଶୀର୍ବାଦ ବେହେରାଙ୍କ ପତିଆରା ଏବେ ବି ସତେଜ ଓସିଏରେ। ତେବେ ଆଶୀର୍ବାଦଙ୍କ ପୁଅ ତଥା ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଓସିଏର ଭବିଷ୍ୟତ ମୁଖିଆ ଭାବେ ପ୍ରୋଜେକ୍ଟ କରାଯାଉଛି ବୋଲି କେତେକ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି । ଏ କଥାକୁ ଓସିଏ ସହ ଜଡ଼ିତ ଅନେକ ପୂର୍ବତନ କ୍ରୀଡ଼ା ସଙ୍ଗଠକ ଅସ୍ବୀକାର ମଧ୍ୟ କରିନାହାନ୍ତି । ହେଲେ ସଞ୍ଜୟଙ୍କ ପାଇଁ ଏବେ ଦୋଛକି ଅବସ୍ଥା ଉପୁଜିଛି । ଆଗାମୀ ଦୁଇ ମାସ ଭିତରେ ଉଭୟ ଫାଓ ଏବଂ ଓସିଏର ନିର୍ବାଚନ ଶେଷ ହେବ । ଦୀର୍ଘବର୍ଷ ଧରି ରାଜ୍ୟରେ ଫୁଟବଲର ବିକାଶ କରିଥିବା ସଞ୍ଜୟ ଫାଓ ହାତ ଛାଡ଼ି ଓସିଏ ସହ ଯୋଡ଼ି ହେବେ କିମ୍ବା ଫାଓର ଲଗାତାର ତୃତୀୟ ଥର ସମ୍ପାଦକ ହେବେ ତାହା ଦେଖିବାକୁ ବାକି ରହିଛି । ଆସନ୍ତା ୧୦ ତାରିଖରେ ରାଜ୍ୟ କ୍ରିକେଟ ଆସୋସିଏଶନ ଗୁଡ଼ିକର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ମଧ୍ୟ ରହିଛି । ଏହି ତାରିଖ ହିଁ ସଞ୍ଜୟଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି ।
୨୦୦୦ ଜୁନ ୨୫ ତାରିଖରେ କଟକର ପୁରୁଖା ରାଜନେତା ତଥା କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଓସିଏର ସମ୍ପାଦକ ପଦବୀରେ ଅବସ୍ଥାପିତ ହୋଇଥିଲେ । ୧୬ବର୍ଷର ଦାୟିତ୍ୱ ପରେ ଗତ ୨୦୧୭ ଜାନୁୟାରୀ ୪ ତାରିଖରେ ଆଶୀର୍ବାଦ ବାଧ୍ୟବାଧକତାରେ ଏହି ପଦବୀ ଛାଡ଼ି ଥିଲେ। ଲୋଧା କମିଟିର ସୁପାରିଶ କ୍ରମେ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଆଶୀର୍ବାଦ ଓସିଏ ଛାଡ଼ିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାଙ୍କ ବିନା ପରାମର୍ଶରେ ଓସିଏରେ କୌଣସି କାମ ଆଗେଇ ନାହିଁ । କାର୍ଯ୍ୟକାରୀ କମିଟି ଗଠନ ହୋଇ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଇତି ମଧ୍ୟରେ ଆୟୋଜନ ହୋଇଥିଲେ ମଧ୍ୟ ଅଭିଜ୍ଞ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦଙ୍କ ଉପସ୍ଥିତି ସବୁବେଳେ କାମରେ ଲାଗିଛି । ଓସିଏ ନିର୍ବାଚନ ତାରିଖ ଏଯାଏଁ ନିର୍ଦ୍ଧାରିତ ହୋଇନାହିଁ । ତଥାପି ଓସିଏ ଏହା ଆଉ ଅଧିକ ଦୂର ନୁହେଁ । ଆଗାମୀ ଓସିଏ ନିର୍ବାଚନରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ହିଁ ବାପାଙ୍କ ପଦବୀ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଆଶୀର୍ବାଦଙ୍କୁ ପଚରାଯାଇଥିଲେ ମଧ୍ୟ ସେ ସ୍ପଷ୍ଟ ଉତ୍ତର କେବେ ଦେଇ ନାହାନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାଜ୍ୟ କ୍ରିକେଟ ସଂଘ ଗୁଡ଼ିକର ନିର୍ବାଚନ ନେଇ ଯୋଜନା ମଧ୍ୟ ଅଗ୍ରଗତି କରି ସାରିଲାଣି । କମିଟି ଅଫ ଆଡମିନଷ୍ଟେଟର(ସିଓଏ)ର ଘୋଷଣା ଅନୁଯାୟୀ, ଜୁଲାଇ ୧ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ଆସୋସିଏଶନ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ସହ ଅଗଷ୍ଟ ୧୪ ସୁଦ୍ଧା ନିର୍ବାଚନ ବିଧି ଓ ଭୋଟର ତାଲିକା ପ୍ରଚଳନ, ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ ଆସୋସିଏଶନ ଗୁଡ଼ିକର ନିର୍ବାଚନ ହେବ । ଏଣୁ ସେପ୍ଟେମ୍ବରରେ ଓସିଏ ନିର୍ବାଚନ ହେବା ଥୟ । ରାଜ୍ୟ କ୍ରିକେଟ ଆସୋସିଏଶନ ଗୁଡ଼ିକର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ତାରିଖ ରହିଛି । ଆଶାୟୀ ପ୍ରାର୍ଥିଙ୍କ ପାଇଁ ଏହି ତାରିଖଟି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ପାଲଟି ସାରିଲାଣି । ଶୁଣାଣିରେ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରାର୍ଥି ଚୟନ କରାଯିବ ତାହା ସ୍ପଷ୍ଟ ହେବ । ସଞ୍ଜୟଙ୍କ ପାଇଁ ମଧ୍ୟ ଆସନ୍ତା ୧୦ ତାରିଖ ଗୁରୁତ୍ୱପୂର୍ଣ୍ଣ ।
ଅନ୍ୟପକ୍ଷରେ ଓଡ଼ିଶା ଫୁଟବଲ ଆସୋସିଏଶନରୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଗଠନ ହେବା ଦିନ ଠାରୁ ସଞ୍ଜୟ ହିଁ ଏହାର ସମ୍ପାଦକ ଅଛନ୍ତି । ୨୦୧୦ ମସିହାରେ ଗଠନ ହୋଇଥିଲା ଫାଓ । ଶେଷଥର ନିମନ୍ତେ ୨୦୧୪ରେ ଫାଓ ନିର୍ବାଚନ ହୋଇଥିବା ବେଳେ ୨୦୧୮ରୁ ଏହାର କାର୍ଯ୍ୟକାଳ ଶେଷ ହୋଇ ସାରିଲାଣି । ହେଲେ ଏଯାଏଁ ନିର୍ବାଚନ କରାଯାଇନାହିଁ। ଖୁବଶୀଘ୍ର ଫାଓର ସମ୍ବିଧାନକୁ ଅବଲମ୍ବନ କରି କାଉନସିଲ ବୈଠକ ଡାକିବା ସହ ନିର୍ବାଚନ ତାରିଖ ଧାର୍ଯ୍ୟ ହେବ ବୋଲି ଫାଓ ପକ୍ଷରୁ କୁହାଯାଇଛି । |
https://www.dharitri.com/ବିହନ-ସଙ୍କଟରେ-ଆଳୁଚାଷୀ/ | ବିହନ ସଙ୍କଟରେ ଆଳୁଚାଷୀ
ଭୁବନେଶ୍ୱର (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ୍/ପାରଳାଖେମୁଣ୍ଡି (ଡି.ଏନ୍.ଏ.)/ଯାଜପୁର ଅଫିସ୍/ ବଲାଙ୍ଗୀର ଅଫିସ୍, ୧୫ା୧୧
ରାଜ୍ୟ ସରକାର ଆଳୁ ମିଶନକୁ ଜୋରସୋରରେ ପ୍ରଚାର ପ୍ରସାର କଲେ। ବଜାରର ଚାହିଦା ଓ ମୂଲ୍ୟକୁ ଦେଖି ବିଭିନ୍ନ ଜିଲାରେ ଚାଷୀମାନେ ଏହି ଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ତେବେ ଶୀତଳଭଣ୍ଡାର ଅଭାବ ଏବଂ ଉପଯୁକ୍ତ ସମୟରେ ସରକାରୀ ବିହନ ନ ମିଳିବା ଚାଷୀମାନଙ୍କ ଏଭଳି ଉତ୍ସାହ ଆଗରେ ପ୍ରତିବନ୍ଧକ ସାଜିଛି। ଏ କ୍ଷେତ୍ରରେ କେନ୍ଦ୍ରାପଡ଼ା, ଗଜପତି, ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ।
କେନ୍ଦ୍ରାପଡ଼ା ଜିଲାରେ ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଅଧିକ ଦାମ ଦେଇ ଚାଷୀମାନେ ବିହନ କିଣୁଛନ୍ତି। ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଥିଲେ ମଧ୍ୟ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ। ଚଳିତ ବର୍ଷ ୧ ହଜାର ହେକ୍ଟର ଜମିରେ ଆଳୁଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫,୦୦୦ କୁଇଣ୍ଟାଲ ବିହନ ଆବଶ୍ୟକ। ତେବେ ଅଦ୍ୟାବଧି ୧ କିଲୋଗ୍ରାମ ମଧ୍ୟ ସରକାରୀ ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ନାହିଁ। ଜିଲା କୃଷକ ସଭା ସମ୍ପାଦକ ଗୟାଧର ଧଳ କହିଛନ୍ତି, ଚଳିତବର୍ଷ ଆଳୁଚାଷକୁ ଚାଷୀ ଅଧିକ ଗୁରୁତ୍ୱ ଦେଇଛନ୍ତି। ବନ୍ୟା ଓ ଗତ ଲଘୁଚାପଜନିତ ବର୍ଷା ଖରିଫ ଚାଷକୁ ଉଜାଡ଼ି ଦେଇଛି। ଆଳୁଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ବିହନ ମିଳିନାହିଁ। ଚାଷୀ ଏନେଇ ଜିଲା ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି ଏବଂ ନିରାଶ ହୋଇ ଫେରୁଛନ୍ତି। ଚାଷୀଙ୍କ ହାଡ଼ଭଙ୍ଗା ପରିଶ୍ରମ ବିହନ ବିହୁନେ ନଷ୍ଟ ହୋଇଯାଉଛି। ବଜାରରେ ବିହନ କିଲୋ ୪୫ ଟଙ୍କା ଥିବାବେଳେ ସରକାରୀ ବିହନ କିଲୋ ପ୍ରତି ୧୧.୨୫ ପଇସାରେ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ କୁଶିଆପାଳ ଗ୍ରାମର ଚାଷୀ ସୁନାକର ରାଉତ କହିଛନ୍ତି, ଆଳୁ ଦରରେ ଏବେ ପକ୍ଷୀ ଲାଗିଛି। ପ୍ରତିଦିନ ଦାମ ଅଧିକ ହେଉଛି। ଏଥିପାଇଁ ଚାଷୀ ଆଳୁ ଲଗାଇବା ପାଇଁ କ୍ଷେତ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ରଖିଥିଲେ ମଧ୍ୟ ବିହନ ମିଳୁନାହିଁ। ବଜାର ଆଳୁବିହନ ଉପରେ ଭରସା ନ ଥିବାବେଳେ ୧୩ ଏକର ଜମିରେ ଆଳୁଚାଷ କରିବେ ବୋଲି ସେ କହିଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୧୫ରେ ରାଜ୍ୟରେ ଆଳୁ ନ ମିଳିବା ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିବର୍ଷ ସରକାର ଆଳୁ ମିଶନ କାର୍ଯ୍ୟକାରୀ କଲେ। ଇତିମଧ୍ୟରେ ୭ ବର୍ଷ ପୂରଣ ହେବ। ଆଳୁ ବିହନ ନ ଥିବା ବେଳେ ଜିଲାରେ ଶୀତଳଭଣ୍ଡାର ଗଠନ ସମ୍ପର୍କରେ କୌଣସି ସୂଚନା ନାହିଁ। ଶୀତଳଭଣ୍ଡାର ନ ଥିଲେ ଆଳୁ ସଂରକ୍ଷଣ ଅସମ୍ଭବ। ତୁରନ୍ତ ଆଳୁ ବିହନ ଚାଷୀଙ୍କୁ ଯୋଗାଣ ସହିତ ଶୀତଳଭଣ୍ଡାର ସ୍ଥାପନ ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ସୁକୁମାର ଦତ୍ତ କହିଛନ୍ତି, ବିହନ ପାଇଁ ଇଣ୍ଡେଣ୍ଟ ଯାଇଛି। ଜିଲାକୁ ବିହନ ଆସି ନାହିଁ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବିହନ ପହଞ୍ଚତ୍ୟିବ ବୋଲି ଉପନିର୍ଦ୍ଦେଶକ ଦତ୍ତ ପ୍ରକାଶ କରିଛନ୍ତି।
ଗଜପତି ଜିଲାରେ ଚାଷୀମାନେ ଧାନ, ମାଣ୍ଡିଆ, ବାଜରା, ମୁଗ, ବିରି, କାନ୍ଦୁଲ ସାଙ୍ଗକୁ ବିଭିନ୍ନ ଫଳ ପରିବା ଚାଷ କରିଥାନ୍ତି । ଗତ ଦୁଇ ବର୍ଷ ହେଲା ଚାଷୀଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ଉତ୍ପାଦନ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବାପରେ ଏହି ଚାଷ ପ୍ରତି ଉତ୍ସାହ ବଢ଼ିଛି। ଆଳୁ ଉତ୍ପାଦନ ନିମନ୍ତେ ଜିଲାର ବିଭିନ୍ନ ଅଞ୍ଚଳର ମାଟି ବେଶ୍ ଅନୁକୂଳ। ଗତବର୍ଷ ଜିଲାରେ ୧୦୫ ହେକ୍ଟର ଜମିରେ ଆଳୁଚାଷ କରାଯାଇଥିଲା। ନଭେମ୍ବର ଶେଷ ସୁଦ୍ଧା ବିହନ ରୁଆଯାଇଥିଲା। ହେକ୍ଟର ପିଛା ୧୫ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ଅମଳ ୧୨ରୁ ୧୩ ଟନ ମଧ୍ୟରେ ହୋଇଥିଲା। କିନ୍ତୁ ଚଳିତବର୍ଷ ନଭେମ୍ବରର ୨ ସପ୍ତାହ ବିତିଗଲାଣି, କିନ୍ତୁ ଚାଷୀଙ୍କ ପାଖରେ ସରକାରୀ ବ୍ୟବସ୍ଥାରେ ବିହନ ପହଞ୍ଚତ୍ ପାରିଲା ନାହିଁ। ଜିଲାରେ ମୁଖ୍ୟତଃ ମୋହନା ବ୍ଲକରେ ୬୦ରୁ ୭୦ ହେକ୍ଟର ଜମିରେ ଆଳୁଚାଷ କରାଯାଉଛି। ଏହାବାଦ ଆର.ଉଦୟଗିରି ବ୍ଲକରେ ୧୫ ହେକ୍ଟର, ଗୁମ୍ମା ବ୍ଳକରେ ୧୬ ହେକ୍ଟର, ନୂଆଗଡ଼ ବ୍ଲକରେ ୧୫ ହେକ୍ଟର, ଗୋସାଣି ବ୍ଲକରେ୧୦ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ଆଳୁଚାଷ କରାଯାଉଛି। ଚଳିତବର୍ଷ ମଧ୍ୟ ୧୧୬ ହେକ୍ଟର ଜମିରେ ଆଳୁଚାଷ କରିବା ପାଇଁ ଲକ୍ଷ୍ୟ ରଖିଛି ଉଦ୍ୟାନ କୃଷି ବିଭାଗ। ଚାଷୀମାନେ ମଧ୍ୟ କ୍ଷେତ ପ୍ରସ୍ତୁତ କରି ରହିଛନ୍ତି। କିନ୍ତୁ ସରକାରୀ ବିହନ ପହଞ୍ଚତ୍ ପାରିନାହିଁ। ବଜାରରୁ କିଲୋଗ୍ରାମ ପିଛା ୪୭ ଟଙ୍କା ଦରରେ ବିହନ କିଣି ଆଣି ଚାଷ କରିବା ଚାଷୀଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏଭଳିସ୍ଥଳେ ଆଳୁ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖିବା ବୃଥା ବୋଲି ଚାଷୀମାନେ କହୁଛନ୍ତି। ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ରେଢ଼ାଲ ଗ୍ରାମର ଚାଷୀ ବାବିଲ ରଇତ ଏବଂ ତାରଭା ପଞ୍ଚାୟତ ତାରଭା ଗ୍ରାମର ଚାଷୀ ସୂଜନ ଭୂୟଁା କହିଛନ୍ତି ଯେ, ଯଦି ବିହନ ମିଳିବାରେ ଅଧିକ ବିଳମ୍ବ ହୁଏ, ତେବେ ଆଳୁଚାଷରୁ କୌଣସି ଫାଇଦା ମିଳିବନି। କାରଣ ମାଟିର ଆର୍ଦ୍ରତା ରହିବନି। ମୁଖ୍ୟତଃ ଜିଲାରେ ଜଳାଭାବ ସମସ୍ୟା ରହୁଥିବାରୁ ମାଟି ଶୁଷ୍କ ହୋଇଗଲେ ଆଳୁ ଚାଷ ପାଇଁ ତାହା ଅନୁକୂଳ ହେବ ନାହିଁ ବୋଲି ସେ କହିଛନ୍ତି। ଉଦ୍ୟାନ କୃଷି ବିଭାଗ ଅଧିକାରୀ ସୁଶାନ୍ତ କୁମାର ଦାସ ଚାଷୀଙ୍କୁ ଚଳିତବର୍ଷ ଆଳୁ ବିହନ ଯୋଗାଇବା ବିଳମ୍ବ ହୋଇଥିବା ସ୍ବୀକାର କରିଛନ୍ତି। ଏନେଇ ସେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖୁବ୍ଶୀଘ୍ର ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ ବୋଲି ଦାସ କହିଛନ୍ତି ।
ଆଳୁ ହେଉଛି ଅଧିକ ଖିଆଯାଉଥିବା ପରିବା। ହେଲେ ନିଅଣ୍ଟିଆ ଆଳୁଚାଷ ସହ ଆବଶ୍ୟକ ଶୀତଳଭଣ୍ଡାରର ଅଭାବରୁ କିଲୋ ପ୍ରତି ୧୫ ଟଙ୍କା ସ୍ଥଳେ ଲୋକେ ୨୦ରୁ ୨୫ ଟଙ୍କା ମଧ୍ୟରେ କିଣୁଛନ୍ତି। ଯାଜପୁର ଜିଲାରେ ୨୦୨୨-୨୩ ବର୍ଷ ରବିଋତୁରେ ୨୦୦ ହେକ୍ଟର ଜମିରେ ଆଳୁଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ହେକ୍ଟର ପିଛା ୧୫ କୁଇଣ୍ଟାଲ ଅନୁସାରେ ୩୦୦୦ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି। ଯାଜପୁର ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟରୁ ଆସନ୍ତା ୧୫ ତାରିଖ ସୁଦ୍ଧା ଆଳୁ ବିହନ ଯୋଗାଇ ଦେବାକୁ ଓଡିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଗତ ୫ ତାରିଖରେ ଅନୁରୋଧ କରାଯାଇଛି। କିନ୍ତୁ ଚାଷୀମାନେ ଆଳୁଚାଷ କରିବାକୁ ସଜବାଜ ହେଉଥିବାବେଳେ ସରକାରୀ ବିହନ ଏଯାଏ ପାଇ ନଥିବା ସୂଚନା ମିଳିଛି। ରସୁଲପୁର ବ୍ଲକ ଭଗୀରଥପୁରର ଆଳୁଚାଷୀ ବାସନ୍ତୀ ବେହେରା କୁହନ୍ତି, ସରକାରୀ ସହାୟତା ମିଳବା ଆଶା ଦିଶୁ ନାହିଁ। ତେଣୁ ନିଜ ଜମିରେ ଆଳୁଚାଷ କରିବାକୁ ବଜାରରୁ ୫୦ କେଜି ଆଳୁ ପ୍ୟାକେଟକୁ ୪୬୦ ଟଙ୍କାରେ କିଣି ଆଣି ଗଜା କରିଛୁ। ସିଂହାପୁର ଗ୍ରାମର ଚାଷୀ ଜୟନ୍ତ ରାଉତ କୁହନ୍ତି, ଆଳୁଚାଷ ପାଇଁ ଜମି ତିଆରି କରି ଅପେକ୍ଷାରେ ରହିଛୁ, କିନ୍ତୁ ଏଯାଏ ସରକାରୀ ଆଳୁ ବିହନ ମିଳିପାରିନାହିଁ। ୧୫ ତାରିଖ ସୁଦ୍ଧା ଆଳୁ ମିଳିଯିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଅନ୍ୟପକ୍ଷେ ଯାଜପୁର ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଆଳୁଚାଷ ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି। ଏଥିପାଇଁ ଆବଶ୍ୟକ ବିହନ ଯୋଗାଇ ଦେବାକୁ ଓଡ଼ିଶା ରାଜ୍ୟ ବିହନ ନିଗମ ଲିଃ ପରିଚାଳନା ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି। ଯେଉଁମାନେ ଆଳୁଚାଷ କରିବାକୁ ଆଗ୍ରହୀ ସେମାନଙ୍କୁ ରିହାତିରେ ବିହନ ଯୋଗାଇ ଦିଆଯିବ।
ବଲାଙ୍ଗୀର ଜିଲାରେ ୨୦୨୧-୨୨ ବର୍ଷରେ ୧୨୦ ହେକ୍ଟର ଜମିରେ ଆଳୁଚାଷ ହୋଇଥିଲା। ଚଳିତବର୍ଷ ଅର୍ଥାତ୍ ୨୦୨୨-୨୩ ପାଇଁ ଜିଲାରେ ସରକାରୀ ଭାବେ ୨୦୫ ହେକ୍ଟର ଜମିରେ ଆଳୁଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗଲପୁର ବ୍ଳକ୍ ଅନ୍ତର୍ଗତ ରିନବଚନ ଗ୍ରାମ ଆଳୁଚାଷ ପାଇଁ ସୁବିଖ୍ୟାତ। ଏହି ଗଁାରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଷୀମାନେ ନିଜସ୍ବ ଉଦ୍ୟମରେ ପାରମ୍ପରିକ ଆଳୁଚାଷ କରିଆସୁଛନ୍ତି। ପୂର୍ବରୁ ଏହି ଗଁାରେ ୪ ଶହରୁ ଊର୍ଦ୍ଧ୍ୱ ଏକର ଜମିରେ ଆଳୁଚାଷ ହେଉଥିଲା। ତେବେ ପାଣି ଅଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ବହୁ ଚାଷୀ ଚାଷ ଛାଡ଼ିଦେଇଥିଲେ। ତେବେ ସରକାରୀ ପ୍ରୋତ୍ସାହନ ମିଳିବା ପରେ ପୁଣି ଥରେ ଆଳୁଚାଷ ବୃଦ୍ଧି ପାଇଛି। ଏହି ଗଁାର ଚାଷୀ ନିର୍ମଳ ସାହୁ କହିଛନ୍ତିି ଯେ, ତାଙ୍କ ପରିବାର ପୁରୁଷାନୁକ୍ରମେ ଚାଷ କରିଆସୁଛନ୍ତି। ଗତବର୍ଷ ସରକାରୀ ପ୍ରୋତ୍ସାହନ ରାଶି ମିଳିଥିଲା। ବୀମା ମଧ୍ୟ କରାଯାଇଥିବାରୁ ଜଳବାୟୁ ପରିବର୍ତ୍ତନ କାରଣରୁ ଆଳୁଚାଷ ନଷ୍ଟ ହେଲେ କ୍ଷତିପୂରଣ ମିଳୁଛି। ମାତ୍ର ଶୀତଳଭଣ୍ଡାର ସୁବିଧା ନଥିବାରୁ ଚାଷୀ ଆଳୁ ଉପାର୍ଜନ କଲା ପରେ ଅତ୍ୟନ୍ତ କମ୍ ମୂଲ୍ୟରେ ଆଳୁ ବିକ୍ରି କରିଦେଉଛନ୍ତି। ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳୁନାହିଁ। ସରକାର ଜିଲାର ବିଭିନ୍ନ ଅଞ୍ଚଳରେ ଶୀତଳଭଣ୍ଡାର ବ୍ୟବସ୍ଥା କଲେ ଚାଷୀ ଲାଭବାନ ହୁଅନ୍ତେ। ଆଳୁ ଅମଳ ପରେ ଶୀତଳଭଣ୍ଡାରରେ ସାଇତି ରଖି ଚଢ଼ାଦର ସମୟରେ ବିକ୍ରି କଲେ ଉଭୟ ଚାଷୀ ଏବଂ ଉପଭୋକ୍ତା ଲାଭବାନ ହୁଅନ୍ତେ। ଏହାସହିତ ପାଣି ଅଭାବ ସମୟରେ ପାଣି ବ୍ୟବସ୍ଥା ଏବଂ ସରକାରୀ ସ୍ତରରେ ଆଳୁ କିଣିବା ବ୍ୟବସ୍ଥା ହେଲେ ଆଳୁଚାଷୀ ଆହୁରି ଲାଭବାନ ହୁଅନ୍ତେ ବୋଲି ସାହୁ କହିଛନ୍ତି। ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ କହିଛନ୍ତି, ଜିଲାର ୧୪ ବ୍ଲକର ଅଗ୍ରଣୀ ଏବଂ ଆଗ୍ରହୀ ଚାଷୀଙ୍କୁ ଆଳୁଚାଷ କରିବା ପାଇଁ ବିଭିନ୍ନ ସରକାରୀ ବ୍ୟବସ୍ଥା କରାଯାଇଛି। ପ୍ରୋତ୍ସାହନ ରାଶି ଭାବେ ହେକ୍ଟର ପିଛା ଆଳୁଚାଷୀଙ୍କୁ ୫ ହଜାର ୮ ଶହ ଟଙ୍କା ଦିଆଯାଉଛି।
ଅନିଲ ଦାସ, ଜଗନ୍ନାଥ ଧଳ, ଗିରିଧାରୀ ପରିଚ୍ଛା, ହର୍ଷବର୍ଦ୍ଧନ ବେହେରା, ବୀରେନ୍ଦ୍ର ଝାଙ୍କର |
https://www.dharitri.com/country-to-buy-100-indigenous-lca-mark-1a-aircraft-air-chief-marshal-vr-chaudharys-information/ | ୧୦୦ ସ୍ବଦେଶୀ ଏଲସିଏ ମାର୍କ ୧ ଏ ବିମାନ କିଣିବ ଦେଶ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀଙ୍କ ସୂଚନା…
ନୂଆଦିଲ୍ଲୀ,୧୬।୯ : ଭାରତୀୟ ବାୟୁସେନା (ଆଇଏଏଫ) କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବଢ଼ାଇବାରେ ଲାଗିଛି। ଏଥିସହିତ ଏହା ମଧ୍ୟ ଜୋର ଦେଉଛି ଏହାର ସ୍କ୍ବାଡନରେ ଅନ୍ତର୍ଭୁକ୍ତ ଯେ କୌଣସି ପ୍ରକାରର ବିମାନ ଦେଶରେ ତିଆରି କରାଯିବା ଉଚିତ। ଏହି କ୍ରମରେ ଦେଶର ବାୟୁସେନା ପ୍ରାୟ ୧୦୦ ଟି ମେକ ଇନ ଇଣ୍ଡିଆ ଏଲସିଏ ମାର୍କ ୧ ଏ ଯୁଦ୍ଧ ବିମାନ କିଣିବାକୁ ଯୋଜନା ସମ୍ପର୍କରେ ଘୋଷଣା କରିଛି।
ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧରୀ ଏକ ନ୍ୟୁଜ ଏଜେନ୍ସି ସହିତ ସ୍ବତନ୍ତ୍ର ବାର୍ତ୍ତାଳାପରେ ସ୍ବଦେଶୀ ବିମାନ କ୍ରୟ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ମିଗ -୨୧, ମିଗ -୨୩ ଏବଂ ମିଗ -୨୭ ସମେତ ମିଗ ସିରିଜର ଅନ୍ୟ ବିମାନଗୁଡ଼ିକୁ ବଦଳାଇବା ପାଇଁ ଲାଇଟ କମ୍ବାଟ ବିମାନ (ଏଲସିଏ) ପ୍ରସ୍ତୁତ ହେଉଛି।
ସେ କହିଛନ୍ତି ବିମାନ ବଦଳାଇବା ପୂର୍ବରୁ ଏହା ନିଶ୍ଚିତ ହେବା ଆବଶ୍ୟକ ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ଏଲସିଏ ବିମାନ ଅଛି। ମାର୍କ ଏ ପାଇଁ ୮୩ ଏଲସିଏ ଚୁକ୍ତି ହୋଇସାରିଛି। ଏହା ବ୍ୟତୀତ ଆମେ ପ୍ରାୟ ୧୦୦ ବିମାନ ପାଇଁ ଆଲୋଚନା କରୁଛୁ।
ଭାରତୀୟ ବାୟୁସେନା ଏହାର ଯୁଦ୍ଧ ବିମାନ ସ୍କ୍ବାଡନରେ ମିଗ ସିରିଜ ଯୁଦ୍ଧବିମାନ ବଦଳାଇବା ପାଇଁ ମେକ ଇନ ଇଣ୍ଡିଆ ବିମାନ କିଣିବାକୁ ଯୋଜନା କରୁଛି। ଏଥି ସହିତ ପ୍ରାୟ ୧୦୦ ବିମାନ କ୍ରୟ କରିବାର ନିଷ୍ପତ୍ତି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ବାୟୁସେନା ମୁଖ୍ୟ ଗତ ମାସରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ସମେତ ସମସ୍ତ ଅନୁଷ୍ଠାନ ସହିତ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କରିଥିଲେ।
ଏଲସିଏ ତେଜସ ଯୁଦ୍ଧ ବିମାନ ବହୁ ସଂଖ୍ୟାରେ ଭାରତୀୟ ବାୟୁସେନାରେ ପୁନଃପ୍ରବେଶ କରିବ। ଆଗାମୀ ୧୫ ବର୍ଷରେ ଭାରତୀୟ ବାୟୁସେନାରେ ପାଖାପାଖି ୧୮୦ ଏଲସିଏ ମାର୍କ ୧ ଏ ଏବଂ ଅତି କମରେ ୧୨୦ ଏଲସି ମାର୍କ-୨ ବିମାନ ରହିବ । |
https://www.dharitri.com/one-hundred-percent-vaccination-in-kinnar-district/ | କିନ୍ନାର ଜିଲାରେ ଶତପ୍ରତିଶତ ଟିକାକାରଣ…
ଶିମ୍ଲା,୧୪।୧୦: ହିମାଚଳ ପ୍ରଦେଶର କିନ୍ନାର ଜିଲ୍ଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କିନ୍ନର ଦେଶର ପ୍ରଥମ ଜିଲା ଭାବେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଜିଲାର ସମସ୍ତ ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ୍ ଦିଆଯାଇଛି। ଏସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଜିଲାର ଡେପୁଟି କମିଶନର ଆବିଦ ହୁସେନ ସାଦିକ କହିଛନ୍ତି ଯେ କରୋନା ଟିକାର ଉଭୟ ଡୋଜ ଏଠାରେ ଥିବା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ଜିଲାର ଟକାର ଉଭୟ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ୬୦,୩୦୫। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ମେଡିକାଲ ଏବଂ ପାରା-ମେଡିକାଲ କର୍ମଚାରୀମାନେ ଦିନରାତି ପରିଶ୍ରମ କରିଥିବା ସେ କହିଛନ୍ତି।
ଏହି ଜିଲାର ଭୌଗୋଳିକ ସ୍ଥିତି ଅନୁସାରେ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରି ବିପର୍ଯ୍ୟୟ ଏକ ସାଧାରଣ କଥା। ଏପରି ସ୍ଥିତିରେ, ଏହି ଲକ୍ଷ୍ୟ ହାସଲ କରିବା ଏକ ଆହ୍ବାନ ମୂଳକ କାର୍ଯ୍ୟ ଥିଲା ବୋଲି ସେ କହିଛନ୍ତି। ହିମାଚଳ ପ୍ରଦେଶର ୫୩.୭୭ ଲକ୍ଷ ଲୋକ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୩୦ରେ ହିମାଚଳ ପ୍ରଦେଶ ଏହି ସଫଳତା ହାସଲ କରିଥିଲା। |
https://www.dharitri.com/ଦୀପାବଳିରେ-ଅଘଟଣ-ବାଣଫୁଟି-୨/ | ଦୀପାବଳିରେ ଅଘଟଣ: ବାଣଫୁଟି ୨ ମୃତ
ଖଲିକୋଟ, ୨୮।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲିକୋଟ ଏନ୍ଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହରିଜନପୁର ସାହିରେ ବାଣ ଫୁଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମାଧବ ଦାସ(୨୫) ଏବଂ ଶ୍ରଦ୍ଧେୟ ଦାସ(୨୫)।
ପ୍ରକାଶ ଯେ, ମାଧବ ଓ ଶ୍ରଦ୍ଧେୟ ଦୀପାବଳି ରାତିରେ ବାଣ ଫୁଟାଉଥିଲେ। ଏକ ବାଣ ଫୁଟି ତାଙ୍କ ଉପରେ ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଖଲିକୋଟ ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବ୍ରହ୍ମପୁରରେ ମାଧବଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଶ୍ରଦ୍ଧେୟଙ୍କୁ କଟକ ବଡ଼ ମେଡିକାଲ ନେବା ରାସ୍ତାରେ ତାଙ୍କରଧ୍ୟ ମୃତ୍ୟୁ ଘଟିଛି। ଖବର ପାଇ ଖଲିକୋଟ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉକରି ବହୁ ବେଆଇନ ବାଣ ଦୋକାନ ଏବଂ ବାଣ ତିଆରି ସ୍ଥାନରୁ ବାଣ ଜବତ କରିଥିବା ଜଣାପଡ଼ିଛି। |
https://www.dharitri.com/make-mandya-the-best-food-chief-minister/ | ମାଣ୍ଡିଆକୁ ଶ୍ରେଷ୍ଠ ଆହାର କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ):ଗୁରୁବାର ହେଉଛି ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାଦିନ। ପୁଷ୍ଟି ସହ ସମୃଦ୍ଧି ଯୋଡ଼ିହୋଇ ରହିଛି। ରାଜ୍ୟ ସରକାର ଗୁରୁବାର ମାଣ୍ଡିଆ ଦିବସ ଭାବେ ପାଳନ କରିଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ରାଜ୍ୟ ସରକାର ମାଣ୍ଡିଆ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ ଏହା କହିଛନ୍ତି। ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପୁଷ୍ଟି ଯୋଗାଉଛି। ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ଚାଷୀ ମାଣ୍ଡିଆ ଚାଷ କରିଥାନ୍ତି। ସେମାନଙ୍କ ଅବସ୍ଥାରେ ଉନ୍ନତି ଏବଂ ଲୋକଙ୍କୁ ପୁଷ୍ଟି ଯୋଗାଣ-ଏ ଦୁଇଟି ବିଷୟକୁ ଧ୍ୟାନ ଦେଇ ସରକାର ମିଲେଟ ମିଶନ କାର୍ଯ୍ୟକାରୀ କରିଛନ୍ତି। ଏଥିରେ ପାଞ୍ଚ ବର୍ଷରେ ୨୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓଡ଼ିଶାର ମିଲେଟ ମିଶନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ଜାତିସଂଘ ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଛି। ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି। ରାଜ୍ୟର ସବୁ ଜିଲାରେ ମିଲେଟ ମିଶନ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୧୮ ଜିଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି। ଏବେ ଏହି ମିଶନରେ ୨ ଲକ୍ଷ ଚାଷୀ, ୮୨ ଏଫ୍ପିଓ ଓ ୧୨୦୦ ମିଶନ ଶକ୍ତି ଗୋଷ୍ଠୀ ସାମିଲ ହୋଇଛନ୍ତି। ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ମାଣ୍ଡିଆକୁ ଶ୍ରେଷ୍ଠ ଆହାର ଭାବରେ ଲୋକପ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। |
https://www.dharitri.com/hemananda-bishwal-daughters-death/ | ହେମାନନ୍ଦ ବିଶ୍ବାଳଙ୍କ ଝିଅଙ୍କ ପରଲୋକ
ସୁନ୍ଦରଗଡ଼, ୨୪।୪ (ଡି.ଏନ୍.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ମଞ୍ଜୁଲତା ନାୟକ(୪୪)ଙ୍କ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମଞ୍ଜୁଲତା ଦୀର୍ଘ ଦିନରୁ ଯକୃତ କର୍କଟ (ଲିଭର କ୍ୟାନ୍ସର)ରେ ପୀଡ଼ିତ ଥିଲେ। ଗତ ୩ ମାସରୁ ଊର୍ଦ୍ଧ୍ୱ ହେବ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାମୀ ବାମରା ନିବାସୀ ସୁଧାଂଶୁ ଶେଖର ନାୟକ (ଖୁକୁନା), ଏକମାତ୍ର ପୁଅ ସୁଜଳ ନାୟକ(୨୧)ଙ୍କ ସମେତ ପରିବାରବର୍ଗ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଶନିବାର ଭୁବନେଶ୍ୱରରୁ ମୃତଦେହ ଆସିବା ପରେ ବାମରାର ସ୍ଥାନୀୟ ଶ୍ମଶାନ ଘାଟରେ ଅନ୍ତିମ ସତ୍କାର ହେବ ବୋଲି ଜଣାପଡିଛି। ତାଙ୍କ ମୃତ୍ୟୁରେ କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ବ୍ଲକ କଂଗ୍ରେସ ସଭାପତି କ୍ଷୀରୋଦ କୁମାର ସା, ମହିଳା ସଭାନେତ୍ରୀ ଶାନ୍ତି କଂସଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। |
https://www.dharitri.com/ବାବର-ଆଜମ-ପାକିସ୍ତାନ-ଦିନିକ/ | ବାବର ଆଜମ ପାକିସ୍ତାନ ଦିନିକିଆ ଅଧିନାୟକ
କରାଚୀ, ୧୪ା୫ (ପି.ଟି.)-ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ବୁଧବାର ପାକିସ୍ତାନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଥିବାବେଳେ ଆଝାର ଅଲି ପୂର୍ବଭଳି ଟେଷ୍ଟ ଦଳର ନେତୃତ୍ୱ ନେବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବାବର ଗତବର୍ଷ କ୍ରିକେଟର ସମସ୍ତ ଫର୍ମାଟ୍ରେ ବିଶ୍ୱର ଜଣେ ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହୋଇଥିଲେ। ସେ ପୂର୍ବରୁ ଟି୨୦ ଦଳର ଅଧିନାୟକ ଦାୟିତ୍ୱରେ ରହିଛନ୍ତି। ୨୦୨୦-୨୧ ସିଜନ ପାଇଁ ସେ ଉଇକେଟକିପର ବ୍ୟାଟ୍ସମ୍ୟାନ ସର୍ଫରାଜ ଅହମ୍ମଦଙ୍କ ସ୍ଥାନରେ ପାକିସ୍ତାନର ଅନ୍ତର୍ଜାତୀୟ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ସିଜନରେ ପାକିସ୍ତାନ ଏସିଆ କପ୍ ଓ ଟି୨୦ ବିଶ୍ୱକପ୍ ବ୍ୟତୀତ ୬ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୦ ଅନ୍ତର୍ଜାତୀୟ ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ଚୟନକର୍ତ୍ତା ଓ ମୁଖ୍ୟ କୋଚ୍ ମିସ୍ବା ଉଲ ହକ୍ ଏହି ନିଯୁକ୍ତିକୁ ନେଇ ଉଭୟ ଆଝାର ଓ ବାବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। |
https://www.dharitri.com/ranjita-will-participate-in-the-snow-ski-race/ | ସ୍ନୋ ସ୍କି ରେସ୍ରେ ଭାଗନେବେ ରଞ୍ଜିତା
ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ସ୍କି ଫେଡେରେଶନ ଆନୁକୂଲ୍ୟରେ ସର୍ବିୟାର ଜ୍ଲାଟିବର-ଟର୍ନିକଠାରେ ସିଗୋଟା କପ୍ ଓ ବୋସନିଆଠାରେ ଜାହୋରିନା କପ୍ ଅନ୍ତର୍ଜାତୀୟ ସ୍ନୋ ସ୍କି ଚାମ୍ପିୟନଶିପ୍ ଆସନ୍ତା ମାସରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଆଲ୍ପାଇନ୍ ସ୍କି ବିଭାଗରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ସ୍ନୋ ଗର୍ଲ’ ରଞ୍ଜିତା ବେହେରା ଭାରତ ପକ୍ଷରୁ ମନୋନୀତ ହୋଇଛନ୍ତି। ବରଫବିହୀନ ରାଜ୍ୟ ହୋଇଥିଲେ ହେଁ ‘ସ୍ନୋ ସ୍ପୋଟର୍ସ’ ଜଗତରେ ଓଡ଼ିଶାକୁ ପରିଚିତ କରାଇଥିବା ରଞ୍ଜିତା ଆଗାମୀ ପ୍ରତିଯୋଗିତା ପୂର୍ବରୁ ରାଜଭବନଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରଞ୍ଜିତାଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ରାଜ୍ୟର ଗୌରବ ବଢ଼ାଇବା ପାଇଁ ଆଶୀର୍ବାଦ କରିଛନ୍ତି।
ଅନ୍ତର୍ଜାଜୀୟ ରେସ୍ରେ ଭାଗନେବା ପୂର୍ବରୁ ରଞ୍ଜିତା ଚଳିତ ମାସ ୨୦ରୁ ୟୁରୋପ ଆଲ୍ପସର କୋପାଓନିକ ରେଞ୍ଜ୍ର ସ୍କି ସ୍କୁଲରେ ଉଚ୍ଚତର ତାଲିମ ନେବାକୁ ବିଦେଶ ଯାତ୍ରା କରିବେ। ବ୍ୟୟବହୁଳ ତାଲିମ ପାଇଁ ଭାରତୀୟ ଜୀବନବୀମା ନିଗମ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଏଲ୍ଆଇସି ହାଉସିଂ ଫାଇନାନ୍ସ ନିଗମ ଏବଂ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ରଞ୍ଜିତା କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଦେଶରେ ତାଲିମ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହନ ରାଶି ପର୍ଯ୍ୟାପ୍ତ ନ ଥିବାରୁ ମୁଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ନିକଟରେ ସହାୟତା ପାଇଁ ଅନୁରୋଧ କରିଛି। ଆର୍ଥିକ ସହାୟତା ତଥା ସରକାରୀ ପ୍ରୋତ୍ସାହନ ନ ମିଳିଲେ ବିଦେଶରେ ତାଲିମନେବା ଅସମ୍ଭବ ହୋଇପଡ଼ିବ ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି। |
https://www.dharitri.com/hardik-pandya-visits-kieron-pollard-house/ | ପୋଲାର୍ଡଙ୍କ ଅତିଥି ସାଜିଲେ ହାର୍ଦ୍ଦିକ
ନୂଆଦିଲ୍ଲୀ,୫।୮: ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର କିରନ୍ ପୋଲାର୍ଡଙ୍କ ଘରେ ଅତିଥି ସାଜିଲେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମୟରେ ବିରତି ନେଇ ସେ ପୋଲାର୍ଡଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଉଭୟ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବାରୁ ବନ୍ଧୁତା ଆହୁରି ଘନିଷ୍ଠ ହୋଇଛି ବୋଲି କୁହାଯାଉଛି।
ଉଭୟଙ୍କ ଭେଟ୍ଘାଟର ଅନେକ ଫଟୋ ପୋଷ୍ଟ କରି ହାର୍ଦ୍ଦିକ କହିଛନ୍ତି, ରାଜାଙ୍କ ଘରକୁ ନ ଗଲେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମ୍ପୂର୍ଣ୍ଣ ନୁହେଁ। ମୋର ପ୍ରିୟ ପଲି ଏବଂ ତୁମର ସୁନ୍ଦର ପରିବାର, ମୋତେ ଦେଇଥିବା ଆତିଥ୍ୟତା ଲାଗି ଧନ୍ୟବାଦ ଭାଇ ବୋଲି ସେ କହିଛନ୍ତି।
କହିରଖୁଛୁ, ପାଣ୍ଡ୍ୟା ଏବେ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଦଳର ଅଧିନାୟକ ପାଲଟିଛନ୍ତି। ହେଲେ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ଅଛନ୍ତି। ଉଭୟ ଖେଳାଳି କିନ୍ତୁ ଅନେକ ବର୍ଷ ଧରି ଗୋଟିଏ ଦଳ ପାଇଁ ଖେଳି ଆସୁଥିଲେ। |
https://www.dharitri.com/ସ୍ତ୍ରୀ-ହେବ-ତ-ଏମିତି/ | ସ୍ତ୍ରୀ ହେବ ତ ଏମିତି
ସୋନମ୍ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ ଜଣା। ଦେଖୁନାହାନ୍ତି, ଏବେ ସେ ଯୁଆଡ଼େ ଗଲେ କେମିତି ସ୍ବାମୀ ଆନନ୍ଦ ଆହୁଜାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ତାଙ୍କ ପ୍ରେରଣାରେ ସେ କୁଆଡ଼େ ବଲିଉଡ୍ରେ ଏତେ ବାଟ ଆସିପାରିଛନ୍ତି। ‘ଆନନ୍ଦ ମୋ ପାଇଁ କାଇଣ୍ଡେଷ୍ଟ ଆଣ୍ଡ ନୋବେଲେଷ୍ଟ। ତାଙ୍କର ବ୍ୟକ୍ତିତ୍ୱକୁ ପ୍ରଶଂସା କରିବାକୁ ମୋ ପାଖରେ ଭାଷା ନାହିଁ। ମୋ ବଲିଉଡ୍ କ୍ୟାରିୟରର ପ୍ରତିଟି ଷ୍ଟେପ୍ରେ ସେ ଛାଇପରି ମୋ ପଛରେ ଠିଆ ହୋଇଛନ୍ତି। ସବୁଠାରୁ ଖାସ୍ କଥା ହେଲା, ସେ ମୋ ପାଇଁ ଏକ ଭଲ ସବ୍ଜେକ୍ଟ ଖୋଜି ପାଇଛନ୍ତି। ଏହାକୁ ନେଇ ଖୁବ୍ଶୀଘ୍ର ଏକ ଫିଲ୍ମ କରିବାର ଯୋଜନା ରହିଛି ବୋଲି କହନ୍ତି ସୋନମ୍।’ |
https://www.dharitri.com/gdp-may-affected-by-rs-20-lakh-crore/ | ଜିଡିପିକୁ ଲାଗିପାରେ ୨୦ ଲକ୍ଷ କୋଟିର ଝଟକା
ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୪ ଦଶନ୍ଧିର ସର୍ବନିମ୍ନ ସ୍ତର -୨୩.୯% ଖସିଛି। ଲକ୍ଡାଉନ ଋଣନୀତି ଠିକ୍ ନ ହେବା ଯୋଗୁ ଏହାର ପରିଣାମ ଅର୍ଥ ବ୍ୟବସ୍ଥାକୁ ଭୋଗିବାକୁ ପଡିଥିବା ଦେଶର ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ରବିବାର କହିଛନ୍ତି। ବର୍ତ୍ତମାନ ବଜାର ଗଭୀର ଭାବେ ପ୍ରଭାବିତ ଥିବାରୁ ଚଳିତ ଆର୍ଥତ୍କ ବର୍ଷରେ ଜିଡିପିକୁ ୨୦ ଲକ୍ଷ କୋଟି ଟଙ୍କାର ଝଟକା ଲାଗିବା ନେଇ ସେ ଆଶଙ୍କା ପ୍ରକଟ କରିଛନ୍ତି। ଲକ୍ଡାଉନ କରୋନା ସଂକ୍ରମଣକୁ କମାଇବାରେ ଦିଗରେ ଯୋଗଦାନ ରଖିଛି। ମାତ୍ର ଏଥି ଯୋଗୁ ଅର୍ଥ ବ୍ୟବସ୍ଥା କେଇ ଗୁଣା ଅଧିକ କ୍ଷତି ସହିଛି। ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସ ଯାଏ ମଧ୍ୟ ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରି ପାରିବ ନାହିଁ। ସେହି ସମୟ ପର୍ଯ୍ୟନ୍ତ ଦେଶର ଜିଡିପିକୁ ୧୦ରୁ ୧୧% ବା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଏହାର ଲାଭ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ଗୁଡିକ ଯେଭଳି ଉଠାଇ ପାରିବେ ତାକୁ ଧ୍ୟାନରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ନିଯୁକ୍ତି ହରାଇଥିବା ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବା ଲାଗି ସେ ସରକାରଙ୍କୁ ନିବେଦନ କରିଛନ୍ତି। ଦେଶର ବିଭିନ୍ନ ଢାଞ୍ଚାଗତ କ୍ଷେତ୍ରଗୁଡିକରେ ନିବେଶ ବଢାଇବା ଉପରେ କାମ କରିବା ଉପରେ ସରକାର ଫୋକସ କରିବାକୁ ସେ ମତ ରଖିଛନ୍ତି। ଏସ୍ଏସ୍ଏମ୍ଇଗୁଡିକୁ ସିଧାସଳଖ ସହାୟତା ଦେଲେ ଏହା ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ, ଦେଶର ଜିଡିପି କରୋନା ଯୋଗୁ ବିଗିଡିଯାଇଛି। ଗତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ୪.୫% ସ୍ତରରେ ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଜିଡିପି ଋଣାତ୍ମକ ହେବ ବୋଲି କୁହାଯାଇଛି। କାରଣ ବଜାରରେ ଚାହିଦା ନ ଥିବା ଯୋଗୁ ଏହା ନିବେଶ ଏବଂ ନିଯୁକ୍ତି ଉପରେ ପଡିଛି। ଜି-୨୦ ଦେଶଗୁଡିକ ମଧ୍ୟରେ ଭାରତର ଜିଡିପି ହ୍ରାସ ସବୁଠାରୁ ଅଧିକ ରହିଛି। |
https://www.dharitri.com/explanation-of-the-department-of-mass-education/ | ଗଣଶିକ୍ଷା ବିଭାଗର ସ୍ପଷ୍ଟୀକରଣ
ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀର ଭାଷା ପଠନ ପୁସ୍ତିକାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଖବର ସୋମବାର ‘ଧରିତ୍ରୀ’ର ତୃତୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା। ପୁସ୍ତକରେ ଇଂଲିଶ ଭାଷାକୁ ବ୍ୟବହାର କରାଯିିବା ସହ ଚିତ୍ରରେ କମ୍ପାନୀ ବ୍ରାଣ୍ଡ୍କୁ ପ୍ରଚାର କରାଯାଇଥିବା ଖବରରେ ଉଲ୍ଲେଖ ଥିଲା। ଏ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମାଧ୍ୟମରେ କୁହାଯାଇଛି, ପିଲାମାନେ ବିଦ୍ୟାଳୟ ଯିବା ପୂର୍ବରୁ ନିଜର ଆଖପାଖରେ ଦେଖୁଥିବା ପରିଚିତ ବସ୍ତୁଗୁଡ଼ିକୁ ଯେପରିକି ବିସ୍କୁଟ, ଚକୋଲେଟ୍, କ୍ଷୀର ପ୍ୟାକେଟ୍, ଥଣ୍ଡା ପାନୀୟ ଇତ୍ୟାଦିକୁ ସେଗୁଡ଼ିକର ପ୍ୟାକେଟ୍ରେ ଲେଖାଥିବା ଶବ୍ଦକୁ ଲକ୍ଷ୍ୟ କରି ଚିହ୍ନି କହିପାରିବାର ଦକ୍ଷତା ହାସଲ କରିଥାନ୍ତି। ସେମାନଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ଖାଦ୍ୟ ପ୍ୟାକେଟ୍ଗୁଡ଼ିକୁ ଦୋକାନରେ ଦେଖି ଚିହ୍ନଟ କରି କହିପାରନ୍ତି। ଅକ୍ଷର ଚିହ୍ନଟ ପ୍ରକ୍ରିୟା ଓ ପଠନ ଅଭ୍ୟାସ ପୂର୍ବରୁ ପିଲାମାନେ ନିଜର ପରିଚିତ ବସ୍ତୁର ପ୍ୟାକେଟ ଖୋଳକୁ ଜାଣିପାରି ପଢ଼ିଦେଇପାରନ୍ତି। ଏହାକୁ ଲୋଗୋଗ୍ରାଫିକ ରିଡିଙ୍ଗ (Logographic Reading) କୁହାଯାଏ। ତୃତୀୟ ଶ୍ରେଣୀର ପଠନ ପୁସ୍ତିକାରେ ଏହିପରି କେତେକ ପରିଚିତ ବସ୍ତୁର ପ୍ୟାକେଟକୁ ଉଦାହରଣ ଭାବେ ନିଆଯାଇ ପିଲାମାନଙ୍କର ଲୋଗୋଗ୍ରାଫିକ ରିଡିଙ୍ଗର ପରୀକ୍ଷା କରାଯାଇଛି। ପିଲାମାନଙ୍କ ଦ୍ୱାରା ପ୍ରାୟତଃ ବ୍ୟବହୃତ ବସ୍ତୁଗୁଡ଼ିକର ଖୋଳରେ ଛପାଯାଇଥିବା ପରିଚିତ ଶବ୍ଦଗୁଡ଼ିକୁ ସେମାନେ ଚିହ୍ନିପାରି ପଢ଼ିଦିଅନ୍ତି। ଯେମିତିକି ପିଲାମାନେ ବିଭିନ୍ନ ମୁଦ୍ରା ଓ ନୋଟ୍ଗୁଡ଼ିକୁ ମଧ୍ୟ ଚିହ୍ନଟ କରି କହିପାରନ୍ତି। ମାନସିକ ତଥା ଭାବଗତ ଭାବେ ଜଡ଼ିତ ଥିବା ପ୍ରିୟ ବ୍ୟକ୍ତି ବିଶେଷଙ୍କ ନାମକୁ ମଧ୍ୟ ପିଲାମାନେ ଦେଖି ଦେଖି ପଢ଼ିପାରନ୍ତି। ଦୂରଦର୍ଶନ/ଟିଭିରେ ବିଭିନ୍ନ ବିଜ୍ଞାପନକୁ ବାରମ୍ବାର ଦେଖିଲା ପରେ ନିର୍ଦ୍ଦିଷ୍ଟ କମ୍ପାନୀ/ବ୍ରାଣ୍ଡ୍ର ଜିନିଷଗୁଡ଼ିକର ନାମ ପଢ଼ିଦେଇ ପାରନ୍ତି। ତେଣୁ ବିଦ୍ୟାଳୟକୁ ଆସିବା ପୂର୍ବରୁ ତଥା ରୀତିମତ ଶ୍ରେଣୀଗୃହର ପଠନ-ଶିକ୍ଷଣ ପ୍ରକ୍ରିୟା ଆରମ୍ଭ ହେଲା ବେଳକୁ ପିଲାମାନେ ଦେଖି ଚିହ୍ନି ପଢ଼ିବାକୁ ସକ୍ଷମ ହୋଇସାରିଥାନ୍ତି। ଶିକ୍ଷଣତତ୍ତ୍ୱ ଓ ପରୀକ୍ଷଣର ଏହି ବିଚାରଧାରାକୁ ଆଧାର କରି ପଠନ ପୁସ୍ତିକାର ପ୍ରଥମ ପୃଷ୍ଠାରେ ଛବି ପଠନର ଅବତାରଣା କରାଯାଇଛି।
ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ(Foundational Literacy and Numeracy Programme) ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟପୁସ୍ତିକା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଠନ ସାମଗ୍ରୀ ପ୍ରସ୍ତୁତି ସହ ଭାଷାଜ୍ଞାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଅନୁବନ୍ଧିତ ପ୍ରତିଷ୍ଠିତ ସଂସ୍ଥା ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ନିଂ ଫାଉଣ୍ଡେଶନ(Language and Learning Foundation)ର ବୈଷୟିକ ସହାୟତା ତଥା ପ୍ରାଥମିକ ଶିକ୍ଷାସ୍ତର ପାଇଁ ଉଦ୍ଦିଷ୍ଟ ‘ରାଜ୍ୟ ଶିକ୍ଷା ପ୍ରାଧିକରଣ’(State Academic Authority)ଙ୍କ ତତ୍ତ୍ୱାବଧାନରେ ଏହି ପୁସ୍ତକ ପ୍ରସ୍ତୁତି କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉପରୋକ୍ତ ସ୍ପଷ୍ଟୀକରଣରେ ‘ଧରିତ୍ରୀ’ରେ ପ୍ରକାଶ କରାଯାଇଥିବା ଖବରର ତଥ୍ୟକୁ କୌଣସି ଭାବେ ଖଣ୍ଡନ କରାଯାଇ ନାହିଁ। ଅର୍ଥାତ୍ ଖବର ସତ୍ୟ ଉପରେ ଆଧାରିତ ଥିଲା। ଏହାବ୍ୟତୀତ ଜନସାଧାରଣଙ୍କୁ ଲୋଗୋଗ୍ରାଫିକ ଭଳି ଶବ୍ଦ ବ୍ୟବହାର କରି ବୁଝାଇବାର ଚେଷ୍ଟା କରାଯାଇଛି। ତେବେ କେତୋଟି ଘରୋଇ କମ୍ପାନୀ ସାମଗ୍ରୀକୁ ସରକାରୀ ପୁସ୍ତକ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ପୂରାଇବାର ମନ୍ଦ ଉଦ୍ୟମ ସ୍ପଷ୍ଟ ଜଣାପଡ଼ୁଛି। |
https://www.dharitri.com/brajrajnagar-by-election-results-today/ | ଆଜି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ
ଭୁବନେଶ୍ୱର,୩।୬(ବ୍ୟୁରୋ): ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଶୁକ୍ରବାର ପୂର୍ବାହ୍ନ ୮ଟାରେ ଭୋଟ ଗଣନା କରାଯିବ। ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିତ୍କାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ଭୋଟ ଗଣତି ପାଇଁ ମୋଟ ୧୪ ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ୪ ଜଣ କର୍ମଚାରୀ ନିୟୋଜିତ ହେବେ। ୨୦ ରାଉଣ୍ଡ ଗଣନା ହେବ। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣତି କରାଯିବ। ଏହାର ୩୦ ମିନିଟ୍ ପରେ ଅର୍ଥାତ ୮ଟା ୩୦ରେ ଇଭିଏମ୍ ଭୋଟଗଣତି ହେବ। ଗୋଟିଏ ବୁଥ୍ର ଭିଭିପିଏଟି ସ୍ଲିପ୍ଗୁଡ଼ିକୁ ଗଣାଯିବ। ଭୋଟଗଣତି କାର୍ଯ୍ୟ ନିମନ୍ତେ ୨୦ ମାଇକ୍ରୋ ଅବଜରଭର, ୨୦ କାଉଣ୍ଟିଂ ସୁପରଭାଇଜର, ୨୦ କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟଗଣତି କାର୍ଯ୍ୟ ନିରୀକ୍ଷଣ କରିବା ପାଇଁ ୬୩ କାଉଣ୍ଟିଂ ଏଜେଣ୍ଟ ଆବେଦନ କରିଛନ୍ତି। ଭୋଟ ଗଣନା କାର୍ଯ୍ୟକୁ ଜନସାଧାରଣ ଦେଖି ପାରିବେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଗଣନା କେନ୍ଦ୍ର ନିକଟରେ ମିଡିଆ ସେଣ୍ଟର ଖୋଲାଯାଇଛି। ଗଣନା କେନ୍ଦ୍ର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିତ୍ମାନେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହାୟତାରେ ୨-୩ ଜଣ ଲେଖାଏ ପ୍ରବେଶ କରି ଖବର ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଲୋହାନୀ ସୂଚନା ଦେଇଛନ୍ତି। ନିର୍ବାଚନରେ ମୋଟ ୨,୧୫,୮୭୮ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। |
https://www.dharitri.com/ବାହାର-ରାଜ୍ୟର-ଶ୍ରମିକଙ୍କୁ/ | ବାହାର ରାଜ୍ୟର ଶ୍ରମିକଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ
ରାଇକିଆ,୨୮।୩(ଡି.ଏନ୍.ଏ.)- କରୋନା ସାଧାରଣ ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ବାହାର ରାଜ୍ୟରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଶ୍ରମିକ ପରିବାର ଲକ୍ଡାଉନ କଟକଣା ପରେ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଏହା ନଜରକୁ ଆସିବା ପରେ ସେମାନଙ୍କ ପାଇଁ ପ୍ରଶାସନ ତରଫରୁ ଶନିବାର ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ମଧ୍ୟପ୍ରଦେଶ ଭୋପାଳରୁ ଆସି ଅଟକି ଯାଇଥିବା କେତେକ ପରିବାରଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇ ଥିଲା। ବିଡ଼ିଓ ପ୍ରବୀଣ ବାଣୁଆ, ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବେରେଡାକିଆ ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ଖାଦ୍ୟ ଦିଆଯିବା ସହିତ କିଭଳି ସୁରକ୍ଷିତ ରହିବେ ସେ ନେଇ ପରାମର୍ଶ ଦିଆ ଯାଇଥିଲା। ସେହିପରି ରାଇକିଆ ବଜାରରେ ବୁଲୁଥିବା କିଛି ମାନସିକ ବିକାରଗ୍ରସ୍ତଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆ ଯାଇଥିଲା। ଏଥିରେ କିଛି ସ୍ଥାନୀୟ ଯୁବକ ଏବଂ ସ୍ବେଛାସେବୀ ସହଯୋଗ କରିଥିଲେ। |
https://www.dharitri.com/the-officer-could-not-explain-the-farmer/ | ଚାଷୀଙ୍କୁ ବୁଝାଇ ପାରିଲେନି ଅଧିକାରୀ
ଲୋଇସିଂହା, ୭।୯(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ସମେତ ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି, ଝରଣୀପାଲି, ବଡଟିକା, ନଅଗା (ଖ), ବେନ୍ଦ୍ରା, ପଟୁଆପାଲି, ସାଲେଭଟା ପଞ୍ଚାୟତରେ ଗତବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ୨୦୨୦-୨୧ ପ୍ରଧାନମନ୍ତ୍ରୀ ଫସଲ ବୀମାରେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ। ସମ୍ପୃକ୍ତ ପଞ୍ଚାୟତର ଚାଷୀ କ୍ଷତିପୂରଣ ଦାବିରେ ଜୁଲାଇ ୨୬ରେ ରାସ୍ତାରୋକୋ କରିଥିଲେ । ଜିଲା କୃଷି ବିଭାଗର ୨ ଜଣ ଅଧିକାରୀ ଆସି ପଦକ୍ଷେପ ନେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଗୋଟାଏ ମାସ ବିତି ଯାଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ଲୋଇସିଂହା ଥାନା ଅନ୍ତର୍ଗତ ରୁଗୁଡିଖାଲଠାରେ ୨୬ ନଂ. ଜାତୀୟ ରାଜପଥରେ ବ୍ଲକ କୃଷକ ସଂଘ ସଭାପତି ରତ୍ନାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହକ୍ ପାଇଁ ଚାଷୀ ଅନିର୍ଦ୍ଦିଷ୍ଟ କାଳ ରାସ୍ତାରୋକୋ କରିବାକୁ ଚେତାବନୀ ଦେଇଥିଲେ । ରାତିରେ ଉପଜିଲାପାଳ କୁମାର ନାଗ ଭୂଷଣ, କୃଷି ବିଭାଗର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିକାରୀ ସୁଧାକର ନନ୍ଦ, ପୋଲିସ ତୁଫାନ ବାଗ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଘୋଷଣା କରିବା ଆମହାତରେ ନାହିଁ। ଆସନ୍ତା ୧୪ରେ ଏ ନେଇ ଆଉ ଏକ ବୈଠକ ରାଜ୍ୟ ସରକାର ରଖିଛନ୍ତି। ବାଦ୍ ପଡିଥିବା କେତେକ ପଞ୍ଚାୟତ ତାଲିକା ଭୁକ୍ତ ହେବା ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଆନ୍ଦୋଳନରୁ ହଟି ଯିବାକୁ ଅଧିକାରୀ କହିଥିଲେ । ରାତି ସାଢ଼େ ୧୨ଟା ସୁଦ୍ଧା ବୁଝାଇ ନ ପାରି ଅଧିକାରୀ ଫେରି ଯାଇଥିଲେ । ରାତିରେ ଚାଷୀମାନେ ରାଜ ରାସ୍ତାରେ ବସିଥିଲେ। ଆନ୍ଦୋଲନ ଯୋଗୁ ରାଜପଥ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକିଛି । ଯାତ୍ରୀମାନେ ହଟହଟା ହେଉଛନ୍ତି। |
https://www.dharitri.com/୪୯୯-ବର୍ଷ-ପରେ-ହୋଲିରେ-ଦୁର୍ଲ/ | ୪୯୯ ବର୍ଷ ପରେ ହୋଲିରେ ଦୁର୍ଲଭ ସଂଯୋଗ
ଫାଲ୍ଗୁନ ପୂର୍ଣ୍ଣିମାରେ ହୋଲିକା ଦହନର ପରଦିନ ହୋଲି ଉତ୍ସବ ପାଳନ କରାଯିବ। ଏବର୍ଷ ଏହି ଉତ୍ସବରେ ବୃହସ୍ପତି ଓ ଶନି ଏକ ଦୁର୍ଲଭ ଯୋଗ ସୃଷ୍ଟି କରିଛନ୍ତି। ହୋଲି ଦିନ ଉକ୍ତ ଗ୍ରହମାନେ ସେମାନଙ୍କ ନିଜ ନିଜ ରାଶିରେ ରହିବେ ବୋଲି କହିଛନ୍ତି ଉଜ୍ୱୟନୀର ଜ୍ୟୋତିଷ ପଣ୍ଡିତ ମନୀଷ ଶର୍ମା। ତାଙ୍କ ମତରେ ଏହି ଦିନ ବୃହସ୍ପତି ତାଙ୍କ ସ୍ବରାଶି ଧନୁରେ ଓ ଶନି ସ୍ବରାଶି ମକରରେ ରହିବେ। ଏଭଳି ସଂଯୋଗ ୩ ମାର୍ଚ୍ଚ ୧୫୨୧ରେ ପଡିଥିଲା। ଏହି ଯୋଗରେ ହୋଲି ଅସିଲେ ଶୁଭ ଫଳ ପ୍ରଦାନ କରିଥାଏ। ପ୍ରତିବର୍ଷ ସୂର୍ଯ୍ୟ କୁମ୍ଭ ରାଶିରେ, ଚନ୍ଦ୍ର ସିଂହ ରାଶିରେ ରହନ୍ତି ଓ ହୋଲି ପାଳନ କରାଯାଏ। କିନ୍ତୁ ଏଥର ବୃହସ୍ପତି ଧନୁ ରାଶିରେ ରହୁଥିବାରୁ ହୋଲିଦିନ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଚଣା ଦାନ କରନ୍ତୁ। ଭଗବାନ ଶିବଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ। ହଳଦିଆ ବସ୍ତ୍ର ଓ କଦଳୀ ଦାନ କରନ୍ତୁ। ଶନିଙ୍କ ଲାଗି ଏହି ଦିନ ‘ଓଁ ଶନୈଶ୍ଚରାୟ ନମଃ’ ମନ୍ତ୍ର ଅତି କମ୍ରେ ୧୦୮ ଥର ଜପ କରନ୍ତୁ। ଶିବଲିଙ୍ଗରେ କଳାରାଶି ଚଢାନ୍ତୁ। କୌଣସି ଗରିବ ବ୍ୟକ୍ତିଙ୍କୁ କଳାବିରି ଦାନ କରନ୍ତୁ। |
https://www.dharitri.com/bjp-mp-ravi-kishan-talks-up-on-film-city-in-uttar-pradesh/ | ସତ ହେବ ସ୍ୱପ୍ନ: ରବି କିଶନ
ନୂଆଦିଲ୍ଲୀ,୨୩ ।୧୧: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସମ୍ମିଳନୀରେ ଯୋଗଦେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍ପି ରବି କିଶନ କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ବହୁ ଭାଷାରେ ଚଳଚ୍ଚିତ୍ର ଶୁଟିଂ ଚାଲିଛି । ଭୋଜପୁରୀ ଭାଷାରେ କିଛି ଚଳଚ୍ଚିତ୍ର ବି ଶୁଟିଂ ହେଉଛି । ତେଣୁ ଅଗାମୀ ଦିନରେ ଗୋରଖପୁରରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଯୋଜନା ରହିଛି । ଏହାପରେ ସେ ଜେୱରରେ ହେଉଥିବା ଫିଲ୍ମସିଟି ସମ୍ପର୍କରେ କଥା ହୋଇଥିଲେ । ସେ କହିଥିଲେ ଉତ୍ତର ପ୍ରଦେଶର ଏହି ଫିଲ୍ମ ସିଟି ଏସିଆର ସବୁଠାରୁ ବଡ ଫିଲ୍ମ ସିଟି ହେବ । ଏହାର କାମ ଆରମ୍ଭ ହୋଇସାରିଛି ଓ ୨୦୨୩ରେ ସେଠାରେ ଫିଲ୍ମ ଶୁଟିଂ କରାଯାଇ ପାରିବ । ଏହି ଫିଲ୍ମ ସିଟିରେ ହାଇଦ୍ରାବାଦ ଭଳି ଭିତରେ ଫିଲ୍ମ ନିର୍ମାଣଠାରୁ ପ୍ରଡକଶନ ପର୍ଯ୍ୟନ୍ତ ସବୁ କାମ କରାଯାଇପାରିବ । ତା’ରି ଭିତରେ ରିଜର୍ଟ, ମନ୍ଦିର, ମସଜିଦ ସବୁକିଛି ଗୋଟିଏ ସ୍ଥାନରେ ମିଳିବ । ବହୁଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଥିବା ରବି କିଶନ କହିଛନ୍ତି । |
https://www.dharitri.com/ଆର୍ଟିଓରେ-ଭିଡ଼-ମହିଳାଙ୍କ/ | ଆର୍ଟିଓରେ ଭିଡ଼ ମହିଳାଙ୍କ ପାଇଁ ହେଉନି ସ୍ବତନ୍ତ୍ର ଧାଡ଼ି
ପୁରୀ ଅଫିସ, ୧୪ା୯: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହଇଚଇ। ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଜୋର୍ଦାର ଚାଲିଛି ଧରପଗଡ଼। ମୋଟା ଆର୍ଥିକ ଜରିମାନା ଏବେ ଗାଡ଼ି ଚାଳକ ଏବଂ ମାଲିକଙ୍କ ଆଖିରୁ ନିଦ ହଜାଇ ଦେଇଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଲୋକେ ଏବେ ନୂଆ ଆଇନ ଜାଲରେ ଛନ୍ଦି ହୋଇପଡୁଛନ୍ତି। ତେବେ ୩ମାସ ପାଇଁ ନିୟମ କୋହଳ ହୋଇଥିଲେ ବି ଲୋକେ ଗାଡି କାଗଜପତ୍ର ଠିକ୍ କରିବା ଲାଗି ଅଣନିଃଶ୍ୱାସୀ ହୋଇ ବିଭିନ୍ନ କାର୍ଯ୍ୟାଳୟକୁ ଧାଉଁଛନ୍ତି। ବିଶେଷକରି ଆର୍ଟିଓରେ ଅଧିକ ଗହଳି ହେଉଛି। ଫିଟ୍ନେସ ହେଉ କି ଡ୍ରାଇଭିଂ ଲାଇସେନ୍ସ ପାଇଁ ସବୁ ଆର୍ଟିଓରେ ଲମ୍ବା ଲାଇନ ଲାଗୁଛି। ପୁରୀ ଆର୍ଟିଓରେ ସକାଳ ସାଢେ ୮ଟାରୁ ଚାଳକ ଏବଂ ମାଲିକ ଆସି ଧାଡିରେ ଛିଡା ହେଉଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଯୁବତୀ ବି ଆସୁଛନ୍ତି। କିନ୍ତୁ ଏଠାରେ ମହିଳାଙ୍କ ପାଇଁ କୌଣସି ସ୍ବତନ୍ତ୍ର ଧାଡି ବ୍ୟବସ୍ଥାା କରାଯାଉ ନାହିଁ। ଫଳରେ ପୁରୁଷଙ୍କ ମଧ୍ୟରେ ଛିଡା ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ମନରେ ଅସନ୍ତୋଷ ଏବଂ ପୁରୁଷଙ୍କ ଧାଡିରେ ଛିଡା ହେବା ଲାଗି ଅସ୍ବାଭାବିକ ଲାଗୁଥିଲେ ମଧ୍ୟ କିଛି କହିପାରୁ ନାହାନ୍ତି।
ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଗାଡି ଚାଳକ ଏବଂ ମାଲିକ ମଧ୍ୟ ନିଜକୁ ସୁବ୍ୟବସ୍ଥିତ କରିବାରେ ଲାଗି ପଡିଛନ୍ତି। ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ସହ ନୂଆ ମୋଟର ଯାନ ଆଇନକୁ ପାଳନ କରିବା ଲାଗି ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ପୁରୀ ଆର୍ଟିଓରେ ପ୍ରତ୍ୟେହ ପ୍ରବଳ ଭିଡ଼ ହେଉଛି। ଆର୍ଟିଓ ପରିସର ଏବଂ ଏହା ସମ୍ମୁଖ ରାସ୍ତାର ଦୁଇପାର୍ଶ୍ୱରେ ପ୍ରାୟ ଅଧକିମି ପର୍ଯ୍ୟନ୍ତ ଗାଡି ମୋଟର ପାର୍କିଂ କରାଯାଉଛି। ପୂର୍ବାହ୍ନ ୯ଟା ପରଠାରୁ ଦିନ ତମାମ୍ ପ୍ରବଳ ଗହଳି ରହୁଛି। ଗାଡି ଚାଳକ ଏବଂ ମାଲିକ ଲମ୍ବା ଧାଡ଼ିରେ ଠିଆ ହୋଇ ସେମାନଙ୍କ କାଗଜପତ୍ର କାମ କରୁଛନ୍ତି। ତେବେ ଆଗ କରିବାର ମନୋବୃତ୍ତି ଯୋଗୁ ଠେଲାପେଲା ହେଉଥିବା ଏହି ଧାଡି ମଧ୍ୟରେ ମହିଳାମାନେ ବି ଠିଆ ହେଉଛନ୍ତି। ସେମାନେ ବି ଠେଲାପେଲାର ଶିକାର ହେଉଥିଲେ ମଧ୍ୟ କିଛି କହିପାରୁ ନାହାନ୍ତି। ଏହି ଘଟଣା ଶୁକ୍ରବାର ଯୁବ ସ୍ବେଚ୍ଛାସେବୀ ଶଙ୍କର ସର୍କାର କାର୍ଯ୍ୟାଳୟ ଅଧିକାରୀଙ୍କ ନଜରକୁ ଆଣିଥିଲେ। ତେବେ ମହିଳାଙ୍କ ପାଇଁ କାହିଁକି ଅଲଗା ଧାଡ଼ି କରାଯାଉ ନାହିଁ ବୋଲି କହିଥିଲେ। ହେଲେ କେହି କିଛି ଶୁଣି ନ ଥିଲେ। ଏହାକୁ ନେଇ କେତେଜଣ ଲୋକ ବି ହୋ ହଲ୍ଲା କରିଥିଲେ। ବର୍ତ୍ତମାନ ଆର୍ଟିଓରେ ଯେଉଁଭଳି ଭାବେ ଭିଡ଼ ହେଉଛି ସେଥିଲାଗି ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି କରାଯିବା ଦରକାର ବୋଲି ସର୍କାର କହିଛନ୍ତି। ଏ ସମ୍ପର୍କରେ ଆର୍ଟିଓ ଦାୟିତ୍ୱରେ ଥିବା ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ମହିଳାମାନେ ଧାଡିରେ ଠିଆ ହେଉଥିବା ନଜରକୁ ଆସିନାହିଁ। ତେବେ ଶନିବାରଠାରୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡି ସହ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ବର୍ତ୍ତମାନ ସୁଦ୍ଧା ୯,୩୧୪ ଜଣ ଡିଏଲ୍ ପାଇଁ ଆବେଦନ କରିଛନ୍ତି। ୧ ତରିଖ ସୁଦ୍ଧା ସମୟ ଥିବାରୁ ଶନିବାର, ରବିବାର ଛୁଟିଦିନରେ କାର୍ଯ୍ୟାଳୟ ଖୋଲା ରହି କାମ କରାଯିବ। ଦିନକୁ ୭୦ଟି ସ୍ଲଟ ଟେଷ୍ଟ ପାଇଁ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୨୦୦ କରାଯାଇଛି। |
https://www.dharitri.com/ayran-khan-drugs-case-officer-sameer-wankhede-transferred-to-dgts-chennai/ | ସମିର ୱାନଖେଡେଙ୍କର ବଦଳି, ଆର୍ଯ୍ୟନ ଖାଁ ମାମଲାର କରି ସାରିଛନ୍ତି ଯାଞ୍ଚ
ନୂଆଦିଲ୍ଲୀ,୩୧ ।୫: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିବା ଅଧିକାରୀ ସମିର ୱାନଖେଡେଙ୍କର ବଦଳି ହୋଇଛି । ସେ ଏନସିବି ମୁମ୍ବାଇର ପୂର୍ବତନ କ୍ଷେତ୍ରିୟ ନିର୍ଦ୍ଦେଶକ ଥିଲେ । ଏବେ ସେ ଡିଆରଆଇକୁ ବଦଳି ହୋଇଛନ୍ତି । ଏବେ ସେ ଡିଜି କରଦାତା ସେବା ନିର୍ଦ୍ଦେଶାଳୟ, ଚେନ୍ନାଇକୁ ବଦଳି ହୋଇଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ର ସରକାର ସମିର ୱାନଖେଡେଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ ଯାଞ୍ଚ ସମୟରେ ଆର୍ଯ୍ୟନ ଖାଁ ସମେତ ୬ ଲୋକଙ୍କର କୌଣସି ଦୋଷ ବାହାର କରିପାରି ନ ଥିଲା । ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ନ ଥିବା କହି ସେମାନଙ୍କୁ ଛାଡି ଦେଇଥିଲା । |
https://www.dharitri.com/video-of-kolkata-doctor-rape-murder-caught-on-cctv/ | ସିସିଟିଭିରେ କଏଦ ହେଲା କୋଲକାତା ଡାକ୍ତର ବଳାତ୍କାର-ହତ୍ୟା ଘଟଣାର ଭିଡିଓ! ଦେଖିଲେ ଥରି ଉଠିବ ଛାତି
କୋଲକାତା,୨୯।୮: କୋଲକାତା ବଳାତ୍କାର ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଲକାତା ଘଟଣା ପରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ ଅନେକ ଲୋକ ଭିଡ଼ ଭିତରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ, ଆର.ଜି କର ବଳାତ୍କାର ଏବଂ ହତ୍ୟା ମାମଲା ବିରୋଧରେ କୋଲକାତାରେ ଚାଲିଥିବା ନବନ୍ନୋ ମାର୍ଚ୍ଚ ମଧ୍ୟରେ ଏକ ଭାଇରାଲ ଭିଡିଓ ପଶ୍ଚିମବଙ୍ଗ ସରକାର ଏବଂ କୋଲକାତା ପୋଲିସର କାର୍ଯ୍ୟ ଶୈଳୀ ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ୪୫ ସେକେଣ୍ଡର ଏହି ଭିଡିଓ ଅଗଷ୍ଟ ୯ସକାଳର ଅପରାଧର ସମାନ ଦୃଶ୍ୟ ବୋଲି କୁହାଯାଉଛି ଯେଉଁଠାରେ ଡାକ୍ତରଖାନା ଭିତରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ବଳାତ୍କାର ଓ ହତ୍ୟା ଭଳି ଭୟଙ୍କର ଘଟଣା ଘଟିଥିଲା। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ ୨୦ଜଣ ଲୋକ ଭିଡ଼ ଭିତରେ ଠିଆ ହୋଇଛନ୍ତି।
ଭିଡିଓରେ ଦେଖାଯାଇଛି ସେଠାରେ ଥିବା ଲୋକେ ପରସ୍ପର ସହ କଥାବାର୍ତ୍ତା କରୁଛନ୍ତି । ମୋବାଇଲ ଫୋନ ବ୍ୟବହାର କରି ସେମାନେ ଦେଖୁଛନ୍ତି ଏବଂ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଭିଡ଼ରେ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି। ଅର୍ଥାତ୍ ଲୋକମାନେ ଅପରାଧ ଘଟଣାସ୍ଥଳରେ ଏକତ୍ରିତ ହୋଇ ନିଜେ ପୋଲିସ ସମ୍ମୁଖରେ ଠିଆ ହୋଇଛନ୍ତି। କିନ୍ତୁ ପୋଲିସ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରୁନାହିଁ। କୋଲକାତା ପୋଲିସ ସେହି ଭିଡିଓକୁ ଅଗଷ୍ଟ ୯ସକାଳେ ହସ୍ପିଟାଲର ସେମିନାର ରୁମରୁ ବୋଲି ଅନୁମାନ କରିଛି, କିନ୍ତୁ ପୋଲିସ କହିଛି ଯେ ସେହି ସମୟରେ ସେମାନେ ମୃତ ଦେହର ଚାରିପାଖରେ କଡନ କରିଥିଲେ। ଅର୍ଥାତ୍ ଉକ୍ତ ସ୍ଥାନକୁ ଘେରାଉ କରାଯାଇଥିଲା ଏବଂ ଏହି ଲୋକମାନେ ଘେରା ଯାଇଥିବା ସ୍ଥାନ ବାହାରେ ଠିଆ ହୋଇଥିଲେ। କିନ୍ତୁ କୋଲକାତା ପୋଲିସର ସ୍ପଷ୍ଟୀକରଣରୁ ଏହା ସ୍ପଷ୍ଟ ହୋଇଛି ଯେ ସେହି ସମୟରେ ସେମିନାର ହଲରେ ଏତେ ସଂଖ୍ୟକ ଲୋକ ପ୍ରବେଶ କରିଥିଲେ। ଯେତେବେଳେ ଏକ ମୃତ ଶରୀର ହଲରେ ପଡ଼ିଥାଏ ଏବଂ କ୍ରାଇମବ୍ରାଞ୍ଚକୁ ସୁରକ୍ଷିତ ରଖିବା ହେଉଛି ପ୍ରଥମ ଏବଂ ପ୍ରାଥମିକ ଆବଶ୍ୟକତା। |
https://www.dharitri.com/ବିହାରରେ-ଲାଗୁ-ହେବ-ନାହିଁ-ଏନ/ | ବିହାରରେ ଲାଗୁ ହେବ ନାହିଁ ଏନ୍ଆରସି
ପାଟନା,୨୫।୨: ବିହାର ବିଧାନସଭାରେ ଏନ୍ପିଆର ଓ ଏନ୍ଆରସିକୁ ନେଇ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ ହୋଇଛି। ମଙ୍ଗଳବାର ଗୃହରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆରସି)କୁ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବ ପାସ୍ କରାଯାଇଛି। ଏଥିସହ ୨୦୧୦ରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର)କୁ ସଂଶୋଧନ କରି ଲାଗୁ କରାଯିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ୨ଟି ପ୍ରସ୍ତାବକୁ ଗୃହରେ ବିଧାନସଭା ଅଧ୍ୟକ୍ଷ ବିଜୟ ଚୌଧୁରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାପରେ ବିଧାନସଭାରେ ସମସ୍ତ ସଦସ୍ୟ ଏହାକୁ ସହମତି ଜଣାଇଥିଲେ। |
https://www.dharitri.com/balangir-police-destroyed-7-thousand-liters-of-native-liquor/ | ୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ
ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି। ବଲାଙ୍ଗୀର ଜିଲାର ୧୭ଟି ଥାନା ଅଧୀନରେ ହୋଇଥିବା ୫୦୮ଟି ମାମଲାରେ ଏହି ମଦ ଜବତ କରାଯାଇଥିଲା । ଆଇନଗତ ଭାବେ ଓଡ଼ିଶାରେ ପ୍ରଥମ ଥର ପାଇଁ ଜବତ ମଦ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଊଦ୍ଧର୍ବ ହେବ ବୋଲି ବଲାଙ୍ଗୀର ଏସ୍ପି ନୀତିନ କୁଶଲକର ସୂଚନା ଦେଇଛନ୍ତି । ମଦ ନଷ୍ଟ ପ୍ରକ୍ରିୟା ବେଳେ ଅତିରିକ୍ତ ଏସ୍ପି ସୁରେଶ କୁମାର ନାଏକ, ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି, ବଲାଙ୍ଗୀର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ସଦର ଏସ୍ଡିପିଓ ତୋଫାନ ବାଗଙ୍କ ସହ ବିଭିନ୍ନ ଥାନାର ଆଇଆଇସି ଉପସ୍ଥିତ ଥିଲେ। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଇଛି । |
End of preview. Expand
in Dataset Viewer.
README.md exists but content is empty.
Use the Edit dataset card button to edit it.
- Downloads last month
- 40